ପୁରୀ : ରଥଯାତ୍ରା ପାଇଁ ଜୋର୍ ଧରିଛି ପ୍ରସ୍ତୁତି । ସେବାୟତ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ ସୋର୍ ରେ ଚାଲିଥିବା ବେଳେ, ତୃତୀୟ ସମନ୍ବୟ ବୈଠକ ପୁରୀ ଟାଉନ୍ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ହୋଇଛି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରଥଯାତ୍ରା ପ୍ରସ୍ତୁତି ବୈଠକ ଭର୍ଚୁଆଲ୍ ଜରିଆରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ପ୍ରତ୍ୟକ୍ଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲେ ବି ଏଥିରେ ପରିବର୍ତ୍ତନ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ କୁହାଯାଇଥିଲା ଯେ ସେ ଭର୍ଚୁଆଲ୍ ଜରିଆରେ ସାମିଲ ହେବେ।

ଏଥିରେ ସ୍ବାସ୍ଥ୍ୟ, ଗମନାଗମନ, ରାସ୍ତାଘାଟ, ରଥ ନିର୍ମାଣ ଆଦିର ବିସ୍ତୃତ ସମୀକ୍ଷା କରାଯାଇଛି।ଏହି ବୈଠକରେ ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଉଷା ଦେବୀ ଓ ଟୁକୁନି ସାହୁ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସ୍ବତନ୍ତ୍ର ଉନ୍ନୟନ କମିସର ପ୍ରଦୀପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।