ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତାଳବଣିଆ ହେଲିପ୍ଯାଡରୁ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି। ଏହାପରେ ଚକ୍ରତୀର୍ଥ ରୋଡ ଦେଇ ସେ ସିଧାସଳଖ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ତେବେ ସବୁଠାରୁ ବଡ଼କଥା ହେଉଛି ପୁରୀ ବଡଦାଣ୍ଡରେ ଚାଲି ଚାଲି ଜଗନ୍ନାଥ ଦର୍ଶନ କରିବାକୁ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ।

ଶ୍ରୀମନ୍ଦିରକୁ ଯିବା ସମୟରେ ବଳଗଣ୍ଡି ଛକ ନିକଟରେ ହଠାତ୍ ରାଷ୍ଟ୍ରପତିଙ୍କ କାରକେଡ ଅଟକିଥିଲା। ଏହାପରେ କାରରୁ ଓହ୍ଲାଇ ଚାଲି ଚାଲି ସେ ଶ୍ରୀମନ୍ଦିରକୁ ଯାଇଛନ୍ତି । ବଡ ଦାଣ୍ଡରେ ଚାଲି ଚାଲି ଯିବ ସମୟରେ ଉପସ୍ଥିତ ଜନସାଧାରଣଙ୍କୁ ଅଭିବାଦନ ମଧ୍ୟ ଜଣାଇଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ଗଜପତି ମହାରାଜ ତାଙ୍କୁ ସ୍ବାଗତ କରିଛନ୍ତି। ଏହାପରେ ଦୁଇ ହାତ ଟେକି ନୀଳଚକ୍ରକୁ ପ୍ରଣାମ ଜଣାଇ ସିଂହଦ୍ବାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ୧୨ଟାରୁ ୧ଟା ପର୍ଯ୍ୟନ୍ତ ରହିଛି ଗର୍ଭଗୃହରେ ଦର୍ଶନ ବ୍ଯବସ୍ଥା ସହ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତିରେ ମାଲ୍ଯାର୍ପଣ କରିବେ ମହାମହିମ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସାଢେ ୧୦ଟାରୁ ଭର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଶ୍ରୀମନ୍ଦିର ଶୋଧ କରାଯାଇଛି। ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରିବା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ। ଆଉ ଦର୍ଶନ ସାରି ୧ଟା ୧୦ମିନିଟରେ ରାଜଭବନରେ ପହଞ୍ଚି ମଧ୍ଯାନ୍ନ ଭୋଜନରେ ମହାପ୍ରସାଦ ପାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଘଣ୍ଟା ପରେ ଅର୍ଥାତ ୩ଟା ୫ମିନିଟରେ ରାଜଭବନରୁ ତାଳବଣିଆ ହେଲିପେଡକୁ ଯିବେ ଆଉ ୩ଟା ୨୦ରେ ତାଳବଣିଆରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିଯିବେ ବୋଲି ସ୍ୱତନ୍ତ୍ର ସମୟ ସ୍ଥିର କରାଯାଇଛି।