ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବଢ଼ିଲା ଅଡ଼ୁଆ, ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ପୁଣି ବଢ଼ିବାରେ ଲାଗିଛି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜାମିନ୍‌ରେ ଆସିବାପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ଆର୍ଥିକ କାରବାର ଉପରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ମନିଲଣ୍ଡରିଂ ମାମଲାରେ ବିଧାୟକ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଇଡି ଖୋଳତାଡ଼ ଆରମ୍ଭ କରିଛି। ଏଥିପାଇଁ ଇଡି ପକ୍ଷରୁ ବ୍ରହ୍ମପୁର ପୁଲିସକୁ ବିଧାୟକ ପ୍ରଦୀପଙ୍କ ସମେତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ପୁରୁଣା ମାମଲାର ବିଭିନ୍ନ ତଥ୍ୟ ମଗାଯାଇଛି।

ବିଧାୟକଙ୍କ ସମେତ ୩ଜଣଙ୍କ ନାମରେ ବ୍ରହ୍ମପୁର ପୁଲିସ ନିକଟରେ ରୁଜୁ ହୋଇଥିବା ସମସ୍ତ ମାମଲାର ସବିଶେଷ ତଥ୍ୟ ଇଡିକୁ ହସ୍ତାନ୍ତର କରାଯାଇଥିବା ବ୍ରହ୍ମପୁର ଏସ୍‌ପି. ଡା. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ଇଡି ବିଧାୟକ ପ୍ରଦୀପ ଓ ଅନ୍ୟମାନଙ୍କ ନାମରେ ରୁଜୁ ହୋଇଥିବା ମାମଲାର ଯାହା ତଥ୍ୟ ମାଗିଥିଲେ, ତାହା ଦାଖଲ କରାଯାଇଛି। ଇଡିର ତଦନ୍ତରେ ପୂର୍ଣ୍ଣ ସହଯୋଗ କରାଯାଉଥିବା ବ୍ରହ୍ମପୁର ଏସପି କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କଟକ କ୍ରାଇମ୍‌ବ୍ରାଞ୍ଚର ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିଲା। ଚାକିରି ନାଁରେ ଲୋକଙ୍କଠାରୁ ଟଙ୍କା ଆଦାୟ ଓ ଠକିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ୨୦୨୦ ଡିସେମ୍ବର ୩ତାରିଖରେ ପ୍ରଦୀପଙ୍କୁ ଗିରଫ କରିଥିଲା। ଏହାସହିତ ପାଠକ ବାପ-ପୁଅଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲା। ସେପଟେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପ୍ରଦୀପ ଓ ଅନ୍ୟମାନଙ୍କ ନାମରେ ଚାକିରି ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା। ବୈଦ୍ୟନାଥପୁର ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଳନ୍ଥରା ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ପରେ ବିଧାୟକ ପ୍ରଦୀପଙ୍କୁ ୨୦୨୧ ଜୁନ୍‌ ମାସରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା।

Related Posts