ଜୁଲାଇ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଆଯିବ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା ଜୁଲାଇ ୨୩ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଏହି ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡ଼ୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସମସ୍ତ ଦଳର ସାଂସଦ ମାନେ ଉପସ୍ଥିତ ରହିବେ।ଏହି ବିଦାୟକାଳୀନ ଉତ୍ସବ ସମୟରେ ବିଦାୟୀ ରାଷ୍ଟ୍ରପତି ରାମନାଥଙ୍କୁ ଲୋକସଭା ସଦସ୍ୟଙ୍କ ତରଫରୁ ପ୍ରଶସ୍ତି ପତ୍ର, ସ୍ମୃତି ଚିହ୍ନ ଓ ସମସ୍ତ ସାଂସଦଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଥିବା ଏକ ହସ୍ତାକ୍ଷର ପୁସ୍ତିକା ଦଆଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେବାକୁ ଥିବା ସାଂସଦ ହସ୍ତାକ୍ଷର ପୁସ୍ତିକାକୁ ୧୮ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ସଂସଦର ସେଣ୍ଟ୍ରାଲ ହଲରେ ରଖାଯିବ ଓ ସମସ୍ତ ସାଂସଦ ମାନେ ଏଥିରେ ସ୍ବାକ୍ଷର କରିବେ। ଏହା ପୂର୍ବରୁ ଜୁଲାଇ ୧୬ରେ ରାଷ୍ଟ୍ରପତି ଭବନରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ପାଇଁ ଏକ ରାତ୍ରିଭୋଜନର ଆୟୋଜନ କରାଯାଇଛି।

ସୂଚନା ଅନୁସାରେ ଜୁଲାଇ ୧୮ ତାରିଖରେ ନୂତନ ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଓ ୨୧ ତାରିଖରେ ନିର୍ବାଚନ ଫଳ ଘୋଷଣା ହେବ। ଆସନ୍ତା ଜୁଲାଇ ୨୫ରେ ଭାରତର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

Related Posts