ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଗଣତି: ନିର୍ବାଚନ ଆୟୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ସେପଟେ ଜୁଲାଇ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର‌୍ୟ୍ୟକାଳ ଶେଷ ହେବ । ଏହା ପୂର୍ବରୁ ସମ୍ବିଧାନର ଧାରା ୬୨ ଅନୁସାରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ୨୧ରେ ଗଣତି ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଛନ୍ତି । ଦେଶର ସାଂସଦ ଓ ବିଧାୟକମାନଙ୍କୁ ନେଇ ଗଠିତ ଇଲେକ୍ଟରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି । ଏହି ଇଲେକ୍ଟରାଲ କଲେଜରେ ୭୭୬ ଜଣ ସାଂସଦ ଏବଂ ସମସ୍ତ ରାଜ୍ୟ, ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭାର ସଦସ୍ୟମାନେ ଅନ୍ତର୍ଭୁକ୍ତ ।

ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମନୋନୟନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁନ ୨୯, ମନୋନୟନ ପତ୍ର ଯାଞ୍ଚର ଶେଷ ତାରିଖ ଜୁନ ୩୦, ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨ । ଆସନ୍ତା ଜୁଲାଇ ୨୧ରେ ଭୋଟ ଗଣତି ପରେ ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts