ସମୀର ବାବୁ ଆପଣ ଖୁସି ତ ! ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରେ ପିଲା

ସତ୍ୟପାଠ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ସରକାର ନାରା ଦେଉଛନ୍ତି ସ୍କୁଲ ଚାଲ । କିନ୍ତୁ ପିଲାଏ ଶ୍ରେଣୀ ଗୃହରେ ବସିବା ବଦଳରେ ରାସ୍ତାରେ ବସୁଛନ୍ତି । ମଜାରେ ନୁହେଁ ବରଂ ଆବଶ୍ୟକତା ସେମାନଙ୍କୁ କ୍ଲାସରୁମରୁ ଟାଣି ଆଣିଛି ରାସ୍ତାକୁ । ଶିକ୍ଷକ ନାହାଁନ୍ତି ତେଣୁ ପାଠ ପଢ଼ିବେ ବା କେମିତି । ସେଥିପାଇଁ ଧାରଣା ଦେଇଛନ୍ତି ପିଲାଏ ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗରଗଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ଚିତ୍ର ବୟାନ କରୁଛି କେତେ ଦୟନୀୟ ସ୍ଥିତରେ ରହିଛି ଆମ ବ୍ୟବସ୍ଥା । ସ୍କୁଲରେ ୮ଟି ଶ୍ରେଣୀ ହେଲେ ଶିକ୍ଷକ ସଂଖ୍ୟା ମାତ୍ର ୪ । ମାନେ ଜଣେ ଶିକ୍ଷକଙ୍କ ଭାଗରେ ଦୁଇଟି ଶ୍ରେଣୀ । ଏଥିରୁ ସେଠାରେ କିଭଳି ପାଠପଢ଼ା ହେଉଥିବ ତାହା କାହାକୁ ଅବୁଝା ରହୁ ନଥିବ । ଏ ବାବଦରେ ଯେ କେହି ଜାଣି ନାହାଁନ୍ତି ତାହା ନୁହେଁ, ବିଦ୍ୟାଳୟ ପରିଚାଳନା କମିଟି ଠାରୁ ନେଇ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତେ ଏ ସମସ୍ୟା ବାବଦରେ ଜାଣିଛନ୍ତି । ସ୍ଥାନୀୟ ବିଧାୟକଙ୍କୁ ତ ବାରମ୍ବାର ଗୁହାରୀ କରାଯାଇଛି । ହେଲେ କେହି କାନ ଡେରି ଶୁଣି ନାହାଁନ୍ତି ଏହି କୁନି ପିଲାଙ୍କ ଦୁଃଖ କାହାଣୀ । ସମସ୍ତଙ୍କ ବେଖିଆଲ ଓ ବେଫକରି ଭିତରେ ନିଜର ଭବିଷ୍ୟତ ଅନ୍ଧାର ଆଡକୁ ଯାଉଥିବା ଦେଖି ଏହାର ପ୍ରତିବାଦ କରିଛନ୍ତି ପିଲାଏ । ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଗଣଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଏକା ଜିଦ, ସ୍କୁଲକୁ ଶିକ୍ଷକ ନିଯୁକ୍ତି ଦିଆନଗଲେ ଧାରଣାରୁ ଉଠିବେନି ପିଲାଏ ।

ବିଦ୍ୟାଳୟର ରେଜଲ୍ଟ ଖରାପ ହେଲେ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ମନ୍ତ୍ରୀ । କିନ୍ତୁ ରେଜଲ୍ଟ ଖରାପ ପଛରେ ଇଏ ବି ଗୋଟିଏ ବଡ କାରଣ ବୋଲି ଭୁଲିଯାଉଛନ୍ତି ସରକାର । ରାଜ୍ୟରେ କେତେ ସଂଖ୍ୟାରେ ଶିକ୍ଷକ ପଦବୀ ଫାଙ୍କା ପଡିଛି ତାହା ଯେ ସରକାର ଜାଣି ନଥିବେ ଏହା ଭାବିବା ବୋକାମି କିନ୍ତୁ ସବୁ ଜାଣି ବି କୁନି କୁନି ପିଲାଙ୍କ ଭବିଷ୍ୟତକୁ ଏଭଳି ଅନ୍ଧାର ଭିତରକୁ ଠେଲିଦେବା କେତେଦୂର ଯୁକ୍ତିଯୁକ୍ତ ।

ଶିକ୍ଷାର ବିକାଶ ହେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ସରକାର । ମନ୍ତ୍ରୀଙ୍କ ଘନ ଘନ ବୈଠକ ଓ ସଚିବଙ୍କ ସମୀକ୍ଷା ଭିତରେ ଲାଗୁଛି ଯେମିତି ଶିକ୍ଷା ବ୍ୟବସ୍ଥା ବଦଳି ଯାଇଛି । ସବୁ କିଛି ଠିକ ଠାକ୍ ଚାଲିଛି । କିନ୍ତୁ ଏ ଧାରଣା ଭୁଲ ପ୍ରମାଣିତ କରିଛି ଏହି ଖବର । ଶିକ୍ଷକ ନିଯୁକ୍ତି ଦାବୀରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ସଜ ସଜ ସ୍କୁଲ ଓ ଗଣଶିକ୍ଷା ବିଭାଗର ରିପୋର୍ଟ କାର୍ଡ ବି ଦେଇଛନ୍ତି ମନ୍ତ୍ରୀ । ଏ ଖବର ଆମେ ଏଇଥିପାଇଁ କରୁଛୁ, ଯେମିତି ମନ୍ତ୍ରୀଙ୍କ ନଜର ଏହା ଉପରେ ପଡିବ ଓ ଅନ୍ତତଃ ପିଲାଏ ପାଠପଢ଼ାରୁ ବଂଚିତ ହେବେନି ।

Related Posts