ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହେବ ଗୁଜୁରାଟ ବିଧାନସଭା ନିର୍ବାଚନ। ତେବେ ଏହି ନିର୍ବାଚନ ପାଇଁ ଏବେଠାରୁ ରାଜ୍ୟରେ ମହୋଲ ସରଗରମ ହୋଇ ଗଲାଣି। ସବୁ ଦଳର ଫୋକସରେ ଏବେ ଗୁଜୁରାଟ ରହିଛି। ଏସବୁ ଭିତରେ ଏବେ ୩ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ମୋଦି ଅନେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି କ୍ରମରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗୁଜରାଟର ଅହମଦାବାରେ ସିଭିଲ ହସ୍ପିଟାଲରେ ପ୍ରାୟ ୧୩୦୦ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟସେବା ସହ ଜଡିତ ସୁବିଧାର ଲୋକାର୍ପଣ କରିବା ସହ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି, ଗୁଜରାଟ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆଜିର ଦିନ ସବୁଠାରୁ ବଡ ଦିନ ।ବିଶ୍ୱର ସବୁଠାରୁ ଆଡଭାନ୍ସ ମେଡିକାଲ ଟେକ୍ନୋଲୋଜି ଭଲରୁ ଭଲ ସୁବିଧା ଓ ମେଡିକାଲ ଇନଫ୍ରାଷ୍ଟ୍ରକଚର ଏବେ ଅହମଦାବାଦ ଓ ଗୁଜରାଟରେ ଅଧିକ ଉପଲବ୍ଧ ହେବ । ବିକାଶର ଗତି ଗୁଜରାଟରେ ଯେମିତି ହେଉଛି ସେମତି କାମ ଓ ଅନୁଭବ ଏତେ ଅଧିକ ହେଉଛି ଏହାକୁ ଗଣିବା ବି କଠିନ ହୋଇ ପଡୁଛି । ଅନେକ ଥର ଗୁଜରାଟରେ ଏମିତି କିଛି ହେଉଛି ଯାହା ଦେଶରେ ପ୍ରଥମଥର ହେଉଛି ।

ମୋଦି କହିଛନ୍ତି ୨୦-୨୫ ବର୍ଷ ପୂର୍ବରୁ ଗୁଜରାଟ ବ୍ୟବସ୍ଥାରେ ବହୁତ କିଛି ରୋଗ ଗ୍ରାସ କରି ରହିଥିଲା । ପ୍ରଥମ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛୁଆ, ଦ୍ୱିତୀୟ ଶିକ୍ଷାରେ କୁବ୍ୟବସ୍ଥା, ତୃତୀୟ ବିଜୁଳି ଅଭାବ, ଚତୁର୍ଥ ପାଣିର ଅଭାବ ଏସବୁ ଭିତରେ ସବୁଠାରୁ ବଡ ରୋଗ ଥିଲା ଭୋଟ ବ୍ୟାଙ୍କ ପଲିଟିକ୍ସ । ଆଜି ଗୁଜରାଟ ଏସବୁ ରୋଗକୁ ପଛରେ ପକାଇ ସବୁଠାରୁ ଆଗରେ ଚାଲୁଛି । ଏବେ ଯେତେବେଳେ କଥା ଉଠିଛି ହାଇଟେକ ହସ୍ପିଟାଲର ସେତେବେଳେ ଗୁଜରାଟର ନାମ ସର୍ବପ୍ରଥମେ ଆସୁଛି । ଶିକ୍ଷା ହେଉ ବା ସ୍ୱାସ୍ଥ୍ୟ ଗୁଜରାଟର କୌଣସି ମୁକାବିଲା ନାହିଁ ବୋଲି ମୋଦୀ କହିଛନ୍ତି ।