ମୋଦି ଶୁଣିବେ ‘ଜନତାଙ୍କ ମନ୍‌ କୀ ବାତ୍‌’

ସାଢ଼େ ଚାରି ବର୍ଷ ଧରି ଦେଶବାସୀ ଶୁଣୁଥିଲେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଣିବେ ଦେଶବାସୀଙ୍କ ‘ମନ୍‌ କୀ ବାତ୍‌’ । ଲୋକସଭା ନିର୍ବାଚନ ସମରକୁ ଲମ୍ଫ ଦେବା ପୂର୍ବରୁ ମୋଦି ସରକାର ନମୋ ଆପ୍‌ ମାଧ୍ୟମରେ ନିଜ କାମ ବାବଦରେ ସିଧା ସଳଖ ଜନତାଙ୍କୁ ପ୍ରଶ୍ନ କରିଛନ୍ତି । ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କ ରାୟ ଜାଣିବାକୁ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ।


ଲୋକସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବାବେଳେ ସବୁ ଦଳ ନିଜ ନିଜ ଶକ୍ତି, ଦକ୍ଷତା, କ୍ଷମତା, ଯୋଡ଼ ତୋଡ଼ ଓ ନୂଆ ନୂଆ ସମୀକରଣ କରିବାରୁ ବାଜି ଲଗାଇ ଦେଉଛନ୍ତି । କ୍ଷମତାରେ ଥିବା ବିଜେପି ମଧ୍ୟ ନିଜ କାମ ବାବଦରେ ଜନତାଙ୍କଠାରୁ ଫିଡ୍‌ ବ୍ୟାକ୍‌ ନେବାକୁ ଉଦ୍ୟମ କରୁଛି । ମୋଦି ସରକାରଙ୍କ କାର୍ଯ୍ୟକାଳ କେମିତି ଥିଲା । ଏ ବାବଦରେ ଲୋକଙ୍କୁ ପଚରାଯାଉଛି । ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟର ମାଧ୍ୟମରେ ଭିଡ଼ିଓ ପୋଷ୍ଟ କରି ଏହି ସର୍ଭେରେ ଭାଗ ନେବାକୁ ଲୋକଙ୍କୁ କହିଛନ୍ତି ।


ପ୍ରଧାନମନ୍ତ୍ରୀ କହିଛନ୍ତି, ‘ନମୋ ଆପ୍‌ରେ ସର୍ଭେ ଆରମ୍ଭ ହୋଇଯାଇଛି । ଏହା ମାଧ୍ୟମରେ ଆପଣଙ୍କର ରାୟ ଜାଣିବାକୁ ଚାହୁଁଛି । ଆପଣଙ୍କର ରାୟ ମହତ୍ବପୂର୍ଣ୍ଣ । ଅନେକ ପ୍ରସଙ୍ଗରେ ଆପଣଙ୍କର ରାୟରୁ ମୋତେ ନିଷ୍ପତ୍ତି ନେବାରେ ସାହାଯ୍ୟ ମିଳିବ । କ’ଣ ଆପଣ ସମସ୍ତେ ଏହି ମହତ୍ବପୂର୍ଣ୍ଣ ସର୍ଭେରେ ଭାଗ ନେବେ ।’

ନମୋ ଆପ୍‌ର ପିପୁଲ୍ସ ପଲ୍ସ ସର୍ଭେରେ ଲୋକଙ୍କୁ କେତେକ ପ୍ରଶ୍ନ ପଚରା ଯାଇଛି । ବିରୋଧୀ ମହାମେଣ୍ଟରୁ ବିଜେପି ଉପରେ କ’ଣ ପଡ଼ିବ ପ୍ରଭାବ, ଏହି ପ୍ରଶ୍ନ କରାଯାଇଛି । ଏହା ଛଡ଼ା ସଂସଦୀୟ କ୍ଷେତ୍ର, ସ୍ବାସ୍ଥ୍ୟ ସୁବିଧା, ଭ୍ରଷ୍ଟାଚାର ମୁକ୍ତ ଶାସନ, ଅର୍ଥ ବ୍ୟବସ୍ଥା, ରୋଜଗାର, ସ୍ବଚ୍ଛ ଭାରତ, ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ପ୍ରଶ୍ନ ପଚରାଯାଇଛି । କେନ୍ଦ୍ର ସରକାରଙ୍କର କ’ଣ କ’ଣ ସଫଳତା ରହିଛି, ଏହା ଉପରେ ମତ ଦେବାକୁ କୁହାଯାଇଛି । ଏଥିସହ ‘ଆପ୍‌’ରେ ଜନତାଙ୍କୁ ସେମାନଙ୍କ ଅଞ୍ଚଳର ତିନି ଜଣ ନେତାଙ୍କ ବାବଦରେ ମଧ୍ୟ ସୂଚନା ମଗାଯାଇଛି । ନମୋ ଆପ୍‌ ମାଧ୍ୟମରେ ମୋଦି ସରକାର ସିଧା ସଳଖ ଜାଣିଯିବେ ଯେ ଜନତା ସରକାରଙ୍କ କାମ ଓ ବିରୋଧୀ ମହାମେଣ୍ଟ ବାବଦରେ କଣ ଭାବୁଛନ୍ତି. । ଏଥିରୁ ଏକଥା ଜଣାପଡ଼ିବ ଯେ ଦେଶର ମୁଡ ଏବେ କ’ଣ ଅଛି । କ’ଣ ଦେଶରେ ପୁଣି ମୋଦି ଲହରୀ ବୋହୁଛି ?

Related Posts