
ପାଟନା: ମଙ୍ଗଳବାର ଦିନ ବିହାର ବିଧାନସଭାର ବିରୋଧୀ ଦଳର ନେତା ତେଜସ୍ବୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପରାମର୍ଶ ଦେଇଛନ୍ତି। ତାଙ୍କୁ ଓଜନ କମାଇବା ନେଇ କହିଛନ୍ତି ମୋଦୀ ।
ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟ ବିଧାନସଭାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଯାଦବଙ୍କୁ କହିଥିଲେ ‘ଓଜନ୍ କମ୍ କରୋ’ (ଓଜନ କମାଅ)।
ବିହାର ବିଧାନସଭା ଅଟ୍ଟାଳିକାର ଶତବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିଧାନସଭା ପରିସରରେ ‘ଶତବାର୍ଷିକୀ ସ୍ତମ୍ଭ’ ଉନ୍ମୋଚନ କରିଥିଲେ। ବିହାର ବିଧାନସଭାକୁ କୌଣସି ପ୍ରଧାନମନ୍ତ୍ରୀ ଆସିବାରରେ ଏହା ଥିଲା ପ୍ରଥମ ଘଟଣା।
ଯୋଗ ଉପରେ ଗୁରୁତ୍ବାରୋପ କରୁଥିବା ୭୧ ବର୍ଷିୟ ପ୍ରଧାନମନ୍ତ୍ରୀ ମୋଦୀ କେବେ କେମିତି ତାଙ୍କ ନିୟମିତ ଯୋଗଭ୍ୟାସର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ କରନ୍ତି। ସେହିପରି, ବାପା ଲାଲୁ ପ୍ରସାଦଙ୍କ ସହ ମିଶି ସମ୍ପୂର୍ଣ୍ଣ ରାଜନୀତିକୁ ଆସିବା ଆଗରୁ ୩୨ ବର୍ଷିୟ ‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ କ୍ରିକେଟ୍ ଖେଳାଳି ଥିଲେ।
ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ‘ଆର୍ଜେଡି’ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ବି ପଚାରିଥିଲେ। ସୂଚନାଯୋଗ୍ୟ, କାନ୍ଧହାଡ଼ ଭାଙ୍ଗି ଯାଇଥିବାରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୪ ବର୍ଷିୟ ଲାଲୁ ପ୍ରସାଦ ଦିଲ୍ଲୀ ଏମ୍ସ୍ରେ ଚିକିତ୍ସାଧୀନ ଅଛନ୍ତି।
ଏବେ ସେ ‘କ୍ରିଟିକାଲ୍ କେୟାର୍’ରୁ ବାହାରକୁ ଆସିଛନ୍ତି ବୋଲି ତେଜସ୍ବୀ କହିବାରୁ ପ୍ରଧାନମନ୍ତ୍ରୀ କହିଲେ, ହଁ ମୁଁ ଦେଖିଛି, ଏବେ ସେ ଚେୟାର୍ରେ ବି ବସିପାରୁଛନ୍ତି।
ହସ୍ପିଟାଲ୍ ପ୍ରକୋଷ୍ଠରେ ଥିବା ଚେୟାର୍ରେ ଲାଲୁ ପ୍ରସାଦ ବସିଥିବାର ଫଟୋ ନିକଟ ଅତୀତରେ ‘ଟୁଇଟର୍’ରେ ସେୟାର୍ କରାଯାଇଥିଲା। ଗୋ-ଖାଦ୍ୟ ଦୁର୍ନୀତିରୁ ମୁକ୍ତ ହେବା ପରେ ଲାଲୁ ଯାଦବ ପାଟନାସ୍ଥିତ ବାସଭବନ ପାହାଚରୁ ପଡ଼ିଯିବାରୁ ତାଙ୍କ କାନ୍ଧ ହାଡ଼ ଭାଙ୍ଗିଯାଇଥିଲା