ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୫ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୁହାଯାଉଛି କି ଜିଏସଟି ସୁଧାରକୁ ନେଇ ଆଜି ନିଜ ସମ୍ବୋଧନରେ କହିପାରନ୍ତି। ଏଠାରେ କହି ରଖୁ କି ଆସନ୍ତା କାଲିଠାରୁ ଦେଶରେ ନୂଆ ଜିଏସଟି ନିୟମ ଲାଗୁ ହେବାକୁ ଯାଉଛି। ବିହାର ବିଧାନସଭା ନିର୍ବାଚନ ଉପରେ ମଧ୍ୟ କହିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନବରାତ୍ରୀ ଓ ଦଶହରାର ପର୍ବ ରହିଥିବା ବେଳେ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସତର୍କତାର ସହିତ ଏହି ପାର୍ବଣକୁ ଉପଭୋଗ କରିବାକୁ କହିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ କିଛି ନୂଆ ଘୋଷଣା ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଆସନ୍ତାକାଲିଠାରୁ ଲାଗୁ ହେବ ଜିଏସଟିର ନୂଆ ନିୟମ
ନୂଆ ସାମଗ୍ରୀ ଏବଂ ସେବା ଟିକସ (GST) ହାର ଆସନ୍ତାକାଲି ସୋମବାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ। ଦେଶରେ ଚାରିଟି ବଦଳରେ କେବଳ ଦୁଇଟି ଜିଏସଟି ଲାଗୁ ହେବ। ଯାହା ଦ୍ୱାରା ଦୈନନ୍ଦିନ ଜିନିଷପତ୍ର ସହିତ ଅନେକ ଇଲେକ୍ଟ୍ରୋନିକ୍ସ, ଗ୍ୟାଜେଟ୍ ଏବଂ ଅଟୋ ସାମଗ୍ରୀ ଶସ୍ତା ହେବ। ୩ ଏବଂ ୪ ସେପ୍ଟେମ୍ବର ୨୦୨୫ରେ ଅନୁଷ୍ଠିତ GST ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୫,୧୨,୧୮ ଓ ୨୮ ପ୍ରତିଶତର ଚାରିଟି GST ହାର ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ବଦଳରେ କେବଳ ଦୁଇଟି ସ୍ଲାବ ଯଥା ୫ ଓ ୧୮ ପ୍ରତିଶତର ଦୁଇଟି ହାର ଲାଗୁ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ, ମଦର ଡେରୀ ଏବଂ ଅମୂଲ ପୂର୍ବରୁ ସେମାନଙ୍କର ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ କରିସାରିଛନ୍ତି। ଯାହା ଜନସାଧାରଣଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।





