ଭୁବନେଶ୍ୱର,୧୭/୧(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା। ତାଲିକା ଅନୁସାରେ ରାଜ୍ୟରେ ୯ ଲକ୍ଷ ୫୯ ହାଜର ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭ ପାଇବା ନେଇ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୦ ଜିଲ୍ଲାରୁ ରହିଛନ୍ତି ୮ଲକ୍ଷ ୧୭ହଜାର ହିତାଧିକାରୀ ରହିଛନ୍ତି। ଅବଶିଷ୍ଟ ୧ଲକ୍ଷ ୪୨ହଜାର ହିତାଧିକାରୀ ୧୪ଜିଲ୍ଲାର ଫନୀ କ୍ଷତିଗ୍ରସ୍ତ। ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଛି।
ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ। ପଂଚାୟତ ଅଫିସ୍ ବାହାରେ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ଲଗାଯିବା ପରେ ସୋମବାର ପ୍ରଥମ ଦିନରୁ ହିଁ ଉତ୍ତେଜନା ପ୍ରକାଶ ପାଇଛି। କେଉଁଠି ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କ ନାଁ ଥିବା ନଜରକୁ ଆସିଥିବା ବେଳେ ଆଉ କେଉଁଠି ସରକାରୀ ଚାକିରିଆଙ୍କ ପତ୍ନୀଙ୍କ ନାଁ ବି ଚିଠା ତାଲିକାରେ ସ୍ଥାନ ପାଇଛି।
ସେପଟେ ୨୦୧୮-୧୯ ପ୍ରୋଭିଜନାଲ୍ ୱେଟିଂ ଲିଷ୍ଟରେ ଥିବା ହିତାଧିକାରୀଙ୍କ ନାଁ ଏବେକାର ଚିଠା ତାଲିକାରେ ନାହିଁ। ସରକାରୀ ବିଧିବ୍ୟବସ୍ଥାରେ ଏଭଳି ଗଫଲତି ଦେଖି ତାତିଛି ବିଜେପି। ଯୋଗ୍ୟ ଲୋକଙ୍କୁ ଘର ନମିଳିଲେ ନବୀନ ନିବାସ ଘେରାଉ ହେବ ବୋଲି ଦଳ ଚେତାବନୀ ଦେଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ନବୀନ ନିବାସ ଘେରାଉ ହେବ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି, ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ । ୨୦୧୮-୧୯ରେ ଯେଉଁ ତାଲିକା ଆସିଥିଲା, ତାହା ଦଳୀୟ ଆଧାରରେ ଆସିଥିଲା।ଯେତିକି ଥର ଘର ପାଇଁ ସର୍ଭେ ହୋଇଛି, ଦଳୀୟ ଆଧାରରେ ହୋଇଛି। ରାଜ୍ୟ ସରକାର ଚଞ୍ଚକତା ସହ ଦଳୀୟ ଆଧାରରେ ବାଣ୍ଟିବା ପାଇଁ ଉଦ୍ୟମ କରୁଛନ୍ତି। ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଲୋକମାନଙ୍କୁ କେବଳ ଦିଆଯିବାକୁ ଥିବା ପକ୍କା ଘରରେ ସାମିଲ କରାଯାଇଛି। ଯେଉଁମାନେ ଅନ୍ୟ ଦଳ ସହିତ ସମ୍ପୃକ୍ତ କିମ୍ବା ସାଧାରଣ ଲୋକ ସେମାନଙ୍କ ନାଁକୁ ସାମିଲ କରାଯାଇନି। ଯୋଗ୍ୟ ଲୋକ ନ ପାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।
୨୦୧୮-୧୯ ପ୍ରୋଭିଜିନାଲ ୱେଟିଂ ଲିଷ୍ଟ୍ ଅନୁସାରେ ପ୍ରାୟ ଦେଢ଼ ଲକ୍ଷଙ୍କ ଯୋଗ୍ୟ ହିତାଧିକାରୀ ରହିଥିଲେ। ଏବେର ସମ୍ଭାବ୍ୟ ତାଲିକାରେ ସେମାନଙ୍କ ନାଁ ନାହିଁ, ତେଣୁ ସ୍ୱଚ୍ଛତା ବଜାୟ ରଖାଯାଉ। ସେଇ ତାଲିକାକୁ ରେଫରାଲ ଭାବେ ନିଆ ଯାଇ ଘର ଆବଣ୍ଟନ କରାଯାଉ। ଅଯୋଗ୍ୟ ଲୋକଙ୍କ ଖବର ଯିଏ ଦେବ ବା ଯେଉଁମାନେ ଅଭିଯୋଗ କରିବେ ତାଙ୍କ ନାମକୁ ଗୁପ୍ତ ରଖିବା ଦରକାର। ନହେଲେ ଲୋକମାନଙ୍କ ମଧ୍ୟରେ ଗାଁ ଗାଁରେ ଗଣ୍ଡଗୋଳ ହେବ। ଅଭିଯୋଗକାରୀଙ୍କ ପରିଚୟ ଗୁପ୍ତ ରଖାଯାଉ।
ଯେଉଁମାନଙ୍କର ଚାଳ ଘର ଥିଲା, ସେମାନେ ତିନି ବର୍ଷ ଅପେକ୍ଷା କରି କରି ଆଜବେଷ୍ଟସ ପକାଇଛନ୍ତି। ଯାହାର ଆଜବେଷ୍ଟସ ଘର ଅଛି ତାକୁ ମଧ୍ୟ ଯୋଜନାରେ ସାମିଲ କରାଯାଉ ବୋଲି ବିଜେପି କହିଛି।
ସେହିପରି ପିଏମ୍ ଆବାସ ଯୋଜନାରେ କେବଳ ଆବାସ ଯୋଜନାର ଲୋଗୋ ଲଗାଇବାକୁ ବିଜେପି ପୁଣି ଥରେ ଦାବି କରିଛି। ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେଇ ଯେଉଁ ଲୋଗୋ କଥା ବିଜେଡି କହୁଛି ତାକୁ ବରଦାସ୍ତ କରାଯିବ ନାହିଁ। ସ୍ୱଚ୍ଛତାର ସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିଲେ ବ୍ୟାପକ ଆନ୍ଦୋଳନ ହେବ, ଆଉ ନବୀନ ନିବାସ ଘେରାଉ ହେବ ବୋଲି ଚେତାବାନୀ ଦେଇଛି ବିଜେପି।
ଏସବୁ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଆବାସ ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯାଉଛି। ଏନେଇ ଗାଇଡ୍ଲାଇନ୍ ହୋଇଛି। ଯେଉଁମାନେ ନବୀନ ନିବାସ ଘେରାଉ କରିବାକୁ କହୁଛନ୍ତି, ସେମାନେ ଅଯଥା ରାଜନୀତି କରୁଛନ୍ତି ବୋଲି ଅମର କହିଛନ୍ତି।
