ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବେ। ତେବେ ଏହି ଗସ୍ତ ଅବସରରେ ମୋଦି ଆଜି ଜାପାନ ପ୍ରଧାନମନ୍ତ୍ରୀ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି । ଏହି ଅବସରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ। ଭାରତ-ଜାପାନ ସହଭାଗିତାକୁ ସୁଦୃଢ଼ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିକଳ୍ପନାକୁ ପୂର୍ଣ୍ଣ ରୂପ ଦେବା ଦିଗରେ ପରଲୋକଗତ ପ୍ରଧାନମନ୍ତ୍ରୀ ଆବେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ମରଣ କରିଥିଲେ ।

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଥିଲା। ସେମାନେ ମଧ୍ୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।ଭାରତ-ଜାପାନ ସ୍ବତନ୍ତ୍ର ରଣନୈତିକ ସମ୍ପର୍କ ଏବଂ ବିଶ୍ବସ୍ତରୀୟ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇ ଥିଲେ । କ୍ଷେତ୍ରୀୟ ସ୍ତରରେ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଗୋଷ୍ଠୀ ଓ ପ୍ରତିଷ୍ଠାନରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଉଭୟ ସହମତ ହୋଇଥିଲେ ।