ନବୀନ ଆଇ ଲଭ୍ ୟୁ….

ଭୁବନେଶ୍ୱର- ୭୪ ବର୍ଷରେ ବି ନବୀନ ପ୍ରିନ୍ସ ଚାର୍ମିଙ୍ଗ । ଯେତେବେଳେ କିଛି ବିରୋଧୀ ଓ ରାଜନିତିକ ସମୀକ୍ଷକ ତାଙ୍କ ପଲିଟିକାଲ ଓବିଚୁଆରୀ ଲେଖିବା ଆରମ୍ଭ କରିଛନ୍ତି ଠିକ ସେତିକି ବେଳେ ନବୀନଙ୍କ ସ୍ପିଡ୍ ଡେଟିଙ୍ଗ ସେମାନଙ୍କୁ ଚକମା ଦେଇଛି । ଥରେ ଦେଖା, ପଦିଏ କଥା ଆଉ କିଛି ସମୟର ମୁଲାକତ୍ । ଯାହାର ସଦ୍ୟତମ ଉଦାହରଣ ହେଲା, ଯେଉଁ ଢ଼ଙ୍ଗ, ଓ ଯେଉଁ ସମୟରେ ନବ ଦାସଙ୍କୁ କଂଗ୍ରେସରୁ ହଟେଇ ନିଜ ଆଡକୁ ଆଣୁଛନ୍ତି ।

ନବ ଛୋଟିଆ ନେତା ନୁହଁନ୍ତି । ଚାରି ଚାରି ଥର ବିଧାୟକ । ପିସିସିର କାର୍ଯ୍ୟକାରୀ ସଭାପତି ବା ଅନ୍ୟତମ ସଭାପତି । ତା ଛଡା କଂଗ୍ରେସର ପଶ୍ଚିମ ଓଡିଶାର ସାତଟା ଜିଲ୍ଲାର ହର୍ତ୍ତ କର୍ତ୍ତା ଦଇବ ବିଧାତା । ଆଉ ତାକୁ ଶୀକାର କଲେ ନବୀନ । ପୁଣି ଏକଦମ କ୍ଲାସିକ ଷ୍ଟାଇଲରେ । ବିନା କଷ୍ଟ, ବିନା ଇଫର୍ଟରେ । ନା ନବୀନ କେବେ ନବଙ୍କ ପାଖକୁ ଯାଇଛନ୍ତି, ନା ତାଙ୍କୁ ଟେକିଛନ୍ତି । କିନ୍ତୁ ନବ ନିଜ ତରଫରୁ ବାରମ୍ବାର କହିଛନ୍ତି ନବୀନ ଆଇ ଲଭ ୟୁ । ନବ ନବୀନଙ୍କ ପାଇଁ ଏମିତି ଦିୱାନା ଯିଏ ୨୦୧୯ରେ କଂଗ୍ରେସର ଟିକେଟ ବାଂଟିଥାନ୍ତେ, ଏବେ ବିଜେଡିରେ ଟିକଟ ମାଗିବେ ।

କେବଳ ନବ ନୁହଁନ୍ତି ପଶ୍ଚିମ ଓଡିଶାର ପ୍ରାୟ କଂଗ୍ରେସ ନେତାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ନବୀନ । ଦ୍ୱିତୀୟରେ ରାହୁଲ କିମ୍ବା ନିରଂଜନ । ପାଂଚବର୍ଷ କାଳ ଗୃହରେ ଭୁପିନ୍ଦର କହୁଥିଲେ, ନବୀନ ଆଇ ହେଟ ୟୁ । ଠିକ ଇଲେକ୍ସନ ପୂର୍ବରୁ ନବୀନଙ୍କ ଘରେ ପହଂଚି ଆଇ ଲଭ ୟୁ କହିଲେ । ଅନୁପ ସାଏ ବି ସେଇଆ କଲେ । ଯେଉଁମାନେ ନବୀନଙ୍କ ନେତୃତ୍ୱ ଓ ତାଙ୍କର ରାଜନୀତିକ ରଣନୀତିକୁ ଅନୁଶୀଳନ କରିଛନ୍ତି ସେମାନେ ଏ କଥାରେ ରାଜି ହେବେ , ନବୀନ ଦିଟା କଥାକୁ ଜାଣିଛନ୍ତି । ଦିଟା ଜିନିଷକୁ କେଉଁ ସମୟରେ କେଉଁ ଅନୁପାତରେ ଆଉ କାହା ଉପରେ ବ୍ୟବହାର କରାଯିବ ସେଇଟା ଏକଦମ ନିର୍ଭୁଲ ଓ ଠିକ ଭାବରେ ଜାଣିଛନ୍ତି । ସେ ଦୁଇଟା ଜିନିଷ ହେଲା ପ୍ୟାକେଜ ଓ ପ୍ରାର୍ଥୀ । ମାନେ ବିଜେପି ଓ କଂଗ୍ରେସ ପାଇଁ ଚ୍ୟାଲେଂଜ ହେଉଛି ସରକାରକୁ ଆସିବା ଆଉ ନବୀନଙ୍କ ଚ୍ୟାଲେଂଜ ହେଉଛି ସରକାରରେ ବରକରାର ରହିବା । ତେଣୁ ସେ କଂଗ୍ରେସ କି ବିଜେପିକୁ ପିଛା କରନ୍ତି ନାହିଁ ।

ନିର୍ବାଚନ ଜିତିବା ପରେ ସମସ୍ୟାର ସମାଧାନ କରିବେନି । ଓଲଟା ବଡ କରିବେ । ଶିକ୍ଷକ, କୃଷି, ଡାକ୍ତର କି ସରକାରୀ କର୍ମଚାରୀ ହୁଅନ୍ତୁ , ସମସ୍ତଙ୍କ ପାଇଁ ଠିକ ନିର୍ବାଚନ ପୂର୍ବରୁ ପ୍ୟାକେଜ ଘୋଷଣା କରିବେ । ଯେଉଁମାନେ ଲୋୟର ପିଏମଜିରେ ଚାରିବର୍ଷ କାଳ ନବୀନଙ୍କ ଚଉଦପୁରୁଷ ଉଝାଳୁଥିବେ ପ୍ୟାକେଜ ପାଇବା ପରେ ନବୀନଙ୍କୁ ଆଇ ଲଭ ୟୁ କହିକି ଯିବେ । ଯେଉଁ ଯାଗାରେ ପ୍ରାକେଜ କାମ ଦେବ ନାହିଁ, ସେଇଠି ଆରମ୍ଭ ହେବ ସ୍ପିଡ ଡେଟିଙ୍ଗ । କାହାକୁ କେତେ କମ ସମୟ ଭିତରେ କେମିତି ପଟେଇବେ । ଯାହାର ସୁରାକ ନା ଗଣମାଧ୍ୟମ ଜାଣିପାରିବ , ନା ସେ ପ୍ରାର୍ଥୀଙ୍କ ଦଳୀୟ ମୁରବୀ ବା ମା’ ବାପା ଜାଣିପାରିବେ । ତା ପରେ ସେ ଅଂଚଳର ସମସ୍ୟା ଏକାଥରକେ ସମାଧାନ । କାରଣ ଓଡିଶାର ନେତାଙ୍କ ସହ ସେ ସମସ୍ୟା ବି ଉଭାନ ହୋଇଯାଏ । ସେଇ କମ ସମୟ ଭିତରେ ନବୀନ ନିର୍ବାଚନ ଜିତି ଯିବେ ।

ନବୀନ ରହିବା ଦିନଠୁ ପଶ୍ଚିମ ଓଡିଶାରେ ବିଭିନ୍ନ ପ୍ରସଙ୍ଗରେ ଅବହେଳାକୁ ନେଇ ଅଭିଯୋଗ ରହିଛି । ଯିଏ ଅଭିଯୋଗ କରିଛନ୍ତି ତାଙ୍କୁ ନବୀନ ଚୁପ କରାଇଛନ୍ତି ନିଜ ଅନ୍ଦାଜରେ । ଚାଷୀ ପ୍ରସଙ୍ଗ, ମଣ୍ଡି ପ୍ରସଙ୍ଗ କିମ୍ବା ସ୍ଥାୟୀ ବେଂଚ ପ୍ରସଙ୍ଗ । କିଛି ଦିନ ତଳେ ନବ ବାବୁ ନେତୃତ୍ୱ ନେଇକି ଆସିଥିଲେ ନବୀନ ବାବୁଙ୍କ ସହ କଥା ହେବାକୁ । ନବୀନ ବାବୁ ତାଙ୍କ ଦାବୀ ଶୁଣିକି ହାଇକୋର୍ଟ ବେଂଚ କେବେ ଦେବେ ଠିକ ନାହିଁ କିନ୍ତୁ ଝାରସୁଗୁଡାରେ ନବ ବାବୁଙ୍କୁ ବିଜେଡିର ବେଂଚ ଦାୟିତ୍ୱ ଦେଇଦେଲେ ।

Related Posts