(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଘରୋଇ ଟିକାକେନ୍ଦ୍ର ଗୁଡିକର ଟିକା କିଣିବା ପ୍ରକ୍ରିୟା ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ମୋଟ୍ ଟିକା ଉତ୍ପାଦନର ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲ ବା ଟିକାକେନ୍ଦ୍ର କିଣୁଥିଲେ। କିନ୍ତୁ ଏବେ ଘରୋଇ ଟିକା କେନ୍ଦ୍ର ଗୁଡ଼ିକ ଟିକା ନିର୍ମାତା କମ୍ପାନୀ ପାଖରୁ ସିଧାସଳଖ ଟିକା କିଣିପାରିବେ ନାହିଁ। ଟିକା କିଣିବାକୁ ହେଲେ ଏଣିକି କୋଓ୍ୱିନ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ହେବ। ଗୋଟିଏ ଘରୋଇ ଟିକା କେନ୍ଦ୍ର କେତେ ପରିମାଣର ଟିକା ମାସିକ ମହଜୁଦ ରଖିପାରିବ ସେ ନେଇ ମଧ୍ୟ କେନ୍ଦ୍ର ସରକାର ଏକ ନେର୍ଦ୍ଦଶନାମା ଜାରି କରିଛନ୍ତି । ନୂତନ ଏସଓପି ଅନୁଯାୟୀ ଯଦି ଏକ ଘରୋଇ ଟିକାକରଣ କେନ୍ଦ୍ର ଜୁଲାଇ ମାସ ପାଇଁ ଅର୍ଡର କରନ୍ତି ତେବେ ପୂର୍ବ ମାସର କୌଣସି ସାପ୍ତାହିକ ଟିକାକରଣକୁ ଚୟନ କରିବେ। ଟିକାକରଣ ପାଇଁ କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ବର୍ତ୍ତମାନ ମୋଟ୍ ଟିକା ଉତ୍ପାଦନର ୨୫ ପ୍ରତିଶତ ଟିକା ଘରୋଇ ଟିକାକରଣ କମ୍ପାନୀ କିଣୁଛନ୍ତି। କିନ୍ତୁ ଅଧିକାଂଶ ଲୋକ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେଉଛନ୍ତି । କାରଣ ସରକାରୀ ଟୀକାକରଣ କେନ୍ଦ୍ରରେ ଟିକା ଦେୟମୁକ୍ତ। ତେଣୁ ଘରୋଇ ଟିକାକେନ୍ଦ୍ର ଖାଲି ପଡ଼ୁଛି। ଏପଟେ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ଶେଷ ହୋଇଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଟିକା ମହଜୁଦ ରହୁଛି। ତେଣୁ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ଏଭଳି ନୂତନ ନିଷ୍ପତ୍ତି ନେଇଥିବା କୁହାଯାଉଛି।
Related Posts
-
Copyright © SatyaPatha2021