ଆଜି ଅପରାହ୍ନରେ କୋଭିଡ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ : ଜୁଲାଇ ଗାଇଡଲାଇନ ନେଇ ଦେବେ ସୂଚନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ଼ ସ୍ଥିତି ନେଇ ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲକଡାଉନ୍ ବଢ଼ିବ ନା ନାହିଁ ତା’ଉପରେ ସାରା ରାଜ୍ୟର ନଜର ରହିଥିବା ବେଳେ ଜୁଲାଇ ମାସର କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୧ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢାଇ ଦିଆଯାଇଥିଲା। ଜୁଲାଇ ମାସରେ ଲକ୍‌ଡାଉନ୍‌ ରହିବ ନା ଅନ୍‌ଲକ୍‌ ହେବ ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜୁନ୍‌ ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିନି। ବିଶେଷଜ୍ଞଙ୍କ ମତ ହେଉଛି ସାମାନ୍ୟ ଅବହେଳା କଲେ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ । ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ଧରୁନି ପ୍ରତିଦିନ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ୱକେଣ୍ଡ ସଟଡାଉନ୍ ଜାରି ରହିଥିବା ବେଳେ ସଂକ୍ରମଣ ବହୁଳ ଜିଲ୍ଲାଗୁଡିକରେ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରହୁଛି । ସେହିଭଳି କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ ଅପରାହ୍ଣ ୫ ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେଣୁ ଏ ସମୟ କଟକଣାକୁ ଆଉ ଟିକିଏ କୋହଳ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି । ଗତକାଲି କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି କହିଛନ୍ତି ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Related Posts