ସ୍କୁଲ ମଧ୍ୟକୁ କ୍ୟାମେରା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ, ନିଷ୍ପତିକୁ ଅଭିଭାବକ ସଂଘର ବିରୋଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ବିନା ଅନୁମତିରେ ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ବାରଣ କରାଯାଇଛି। କିଛି ଲୋକ କ୍ୟାମେରା ନେଇ ସ୍କୁଲ କୁ ପ୍ରବେଶ କରୁଛନ୍ତି ପାରେ ପିଲାମାନଙ୍କୁ ଓ ଶିକ୍ଷକ ମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି ଏହା ପରେ ଏହି ଭିଜୁଆଲ ସବୁ ବୈଦୁତିକ ଗଣମାଧ୍ୟମ ରେ ପ୍ରକାଶିତ ହେଉଛି । ଏସବୁ କୁ ଆଖି ଆଗରେ ରଖି ସ୍କୁଲ ମଧ୍ୟକୁ କ୍ୟାମେରା ବାରଣ କରାଯାଇଛି ଓ କୌଣସି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସ୍କୁଲ କୁ ବିନା ଅନୁମତି ରେ ପ୍ରବେଶ କରି ପାରିବେ ନାହିଁ ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା କୁ ଚିଠି କରାଯାଇଛି। ଅପରପକ୍ଷେ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିବା ସହ ୭ଦିନ ମଧ୍ୟରେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲା କାମାକ୍ଷାନଗର କଙ୍କଡ଼ାହାଡ଼ ବ୍ଲକ ଶିକ୍ଷାଧିକାରୀ ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ବିଦ୍ୟାଳୟରେ ବିନା ଅନୁମତିରେ ପ୍ରବେଶ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି, ସ୍କୁଲ ଭିତରେ କିଛି ଗଣମାଧ୍ୟମ ପ୍ରତିନିଧି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି ଏହା ଅବୈଧ ଅଟେ ତେଣୁ ଆଗକୁ ଯେଭଳି ଗଣମାଧ୍ୟମ ପ୍ରତିନିଧି ସ୍କୁଲ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏଭଳି ଅନଧିକୃତ ପ୍ରବେଶ କରନ୍ତି ତେବେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ସ୍କୁଲ ପ୍ରଧାନ ଶିକ୍ଷକ ନିକଟସ୍ଥ ଥାନାରେ ପୋଲିସକୁ ଜଣାଇବା ସହିତ ଏଫ୍‌ଆଇଆର୍‌ ଦାଖଲ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯଦି କହି ବିଚ୍ୟୁତି କରନ୍ତି ତେବେ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯିବ ବୋଲି କୁହାଯାଇଛି। ଢେଙ୍କାନାଳ ଜିଲା ପ୍ରକଳ୍ପ କାର୍ଯ୍ୟାଳୟରୁ ମଧ୍ୟ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇ କଡ଼ା ନିର୍ଦ୍ଦେଶ ପାଳନ କରିବା ପାଇଁ କୁହାଯାଇଛି। ସେହିଭଳି କେନ୍ଦ୍ରାପଡ଼ା ଜିଲା ଶିକ୍ଷାଧିକାରୀ ମଧ୍ୟ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରିବା ଉପରେ କଟକଣା ଲଗାଯିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ଶିକ୍ଷା ବିଭାଗର ଏଭଳି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସ୍କୁଲରେ ଶିକ୍ଷକ ଅଭାବ, ମଧ୍ୟାହ୍ନଭୋଜନ ସମସ୍ୟା, ଶିକ୍ଷାଦାନର ଗୁଣବତ୍ତା କୁ ନେଇ କୌଣସି ଖବର ବାହାରକୁ ଆସୁ ତାହା ରାଜ୍ୟ ସରକାର ଚାହୁଁନାହାଁନ୍ତି। ଯେଉଁ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି, ସେଠାରେ ତାଲା ପକାଇ ପ୍ରତିବାଦ କରିବା ପାଇଁ ପୂର୍ବରୁ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଫଳରେ ରାଜ୍ୟର ପ୍ରାୟ ୨୦୦ ସ୍କୁଲରେ ଏଭଳି ତାଲା ପକାଇ ଅଭିଭାବକମାନେ ପ୍ରତିବାଦ କରୁଥିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହା ରାଜ୍ୟ ସରକାର ଙ୍କ ଭୟ ଏଭଳି ପଦକ୍ଷେପ ନେଇ ସରକାର ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁପ୍ରବେଶକୁ ରୋକ ଲଗାଇବା ଅସାମ୍ବିଧାନିକ। ମହାସଂଘ ଏହାକୁ ଦୃଢ଼ ବିରୋଧ କରୁଛି ଏବଂ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହର କରିବା ପାଇଁ ଦାବି କରୁଛି। ଆସନ୍ତା ୭ଦିନ ଭିତରେ ଯଦି ଶିକ୍ଷା ବିଭାଗ ଏହି ନିଷ୍ପତ୍ତିକୁ ପ୍ରତ୍ୟାହର ନ କରେ ତେବେ ମହାସଂଘ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଅବଗତ କରାଇବ। ଆବଶ୍ୟକ ପଡ଼ିଲେ ମହାସଂଘ କୋର୍ଟରେ ମାମଲା ରୁଜୁ କରିବ ବୋଲି ବାସୁଦେବ କହିଛନ୍ତି।

Related Posts