ଶ୍ରୀଲଙ୍କାରେ ସରକାରୀ ଟିଭିକୁ ଅକ୍ତିଆର କରିନେଲେ ବିକ୍ଷୋଭକାରୀ; ଆଙ୍କର ସାଜି ଦେଶକୁ କଲେ ସମ୍ବୋଧନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥକି ସଙ୍କଟ ଦେଇ ଗତି କରୁଛି । ଏନେଇ ଶ୍ରୀଲଙ୍କାବାସୀ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡ଼ି ଫେରାର ହୋଇଯିବା ପରେ ଦେଶର ଜନତା ଆନ୍ଦୋଳନକୁ ତୀବ୍ର କରିଛନ୍ତି । ସେପଟେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ତଥା କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । କେବଳ ଏତିକି ନୁହେଁ ବରଂ ଶ୍ରୀଲଙ୍କାର ସରକାରୀ ଟେଲିଭିଜନ ଚ୍ୟାନେଲ ଶ୍ରୀଲଙ୍କା ରୂପବାହିନୀ କର୍ପୋରେସନର ଷ୍ଟୁଡିଓକୁ ଅକ୍ତିଆର କରିନେଇଛନ୍ତି ବିକ୍ଷୋଭକାରୀ । ଯାହାଫଳରେ ଲାଇଭ ଟିଭି ପ୍ରସାରଣକୁ ବନ୍ଦ କରିଦିଆଯାଇଛି ।

କେତେକ ବିକ୍ଷୋଭକାରୀ ଯୁବକ ଟିଭି ପ୍ରସାରଣ ଚାଲିଥିବାବେଳେ ଷ୍ଟୁଡିଓରେ ପ୍ରବେଶକରି ଆନ୍ଦୋଳନ ସଂପର୍କରେ ଭାଷଣ ଦେଇଛନ୍ତି । ଅନ୍ୟପଟେ ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଏହା ପରେ ବିଭିନ୍ନ ସହର ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସେନା ମୁତୟନ ହୋଇଥିଲେ ବି ଆନ୍ଦୋଳନ ଜାରି ରହିଛି । କେତେକ କ୍ଷେତ୍ରରେ ସେନା ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts