ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା । ସେପଟେ ଆର୍ଥିକ ସଙ୍କଟକୁ ନେଇ ତେଜିଛି ଅସନ୍ତୋଷ । ନା ଖାଦ୍ୟ ମିଳୁଛି ନା ପନ୍ୟ । ସେପଟେ ପରିଚାଳନାରେ ସରକାରଙ୍କ ଭୂମିକାର ବିରୁଦ୍ଧାଚରଣ କରି ପ୍ରତିବାଦ ଓ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗତ ବିଳମ୍ବିତ ରାତ୍ରୀରେ ଶ୍ରୀଲଙ୍କାର ପ୍ରମୁଖ ନଗରୀ କଲମ୍ବୋର କେତେକ ପ୍ରାନ୍ତରେ ପୁଲିସ କର୍ଫ୍ୟୁ ଜାରି କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ କ‌ଲମ୍ବୋ ଉପନଗରୀସ୍ଥିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ବ୍ୟକ୍ତିଗତ ବାସଭବନ ନିକଟରେ ଏକତ୍ର ହୋଇଥିବା ପ୍ରାୟ ୫୦୦୦ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ଲାଗି ପୁଲିସ ଲୁହବୁହା ବାଷ୍ପ ଏବଂ ପାଣି ମାଡ଼ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ର ଜଣେ ପ୍ରତ୍ୟକ୍ଷଦର୍ଶୀ ରିପୋର୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ମୋଟୋର୍‌ସାଇକେଲ୍‌ ହେଲ୍‌ମେଟ୍‌ ପିନ୍ଧିଥିବା ପ୍ରତିବାଦକାରୀମାନେ ଗୋଟାଏ ପାଚେରି ଭାଙ୍ଗି ପୁଲିସ ଉପରକୁ ଇଟା ଫିଙ୍ଗିବା ପୂର୍ବରୁ ଗୋତବୟାଙ୍କ ବାସଭବନକୁ ପଡ଼ିଥିବା ରାସ୍ତାରେ ରଖାଯାଇଥିବା ଗୋଟାଏ ବସ୍‌ରେ ନିଆଁ ଲଗାଇ ଦେଇଥିଲେ।

ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମଲ ଏଡିରିମାନେ କହିଛନ୍ତି, ଦେଶର ବାଣିଜ୍ୟିକ ରାଜଧାନୀ କ‌ଲମ୍ବୋର ୪ଟି ପୁଲିସ ଡିଭିଜନ୍‌ରେ କର୍ଫ୍ୟୁ ଜାରି କରାଯାଇଛି।

ଜଣେ ପୁଲିସ ମୁଖପାତ୍ର କହିଛନ୍ତି, ଗତରାତିରେ ନୁଗେଗୋଡ଼ାର ମିରିହାନାରେ ଚାଲିଥିବା ପ୍ରତିବାଦସ୍ଥଳରୁ ଜଣେ ମହିଳା ଏବଂ ୪୪ଜଣ ପୁରୁଷଙ୍କ ସମେତ ୪୫ଜଣ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ଜଣେ ‘ଏଏସ୍‌ପି’ଙ୍କ ସମେତ ୫ଜଣ ପୁଲିସ ଅଧିକାରୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଗୋଟାଏ ପୁଲିସ ବସ୍‌, ଗୋଟାଏ ପୁଲିସ ଜିପ୍‌, ୨ଟି ମୋଟୋରସାଇକେଲ୍‌ ପୋଡ଼ି ପକାଇଛନ୍ତି ଏବଂ ଗୋଟାଏ ୱାଟର୍‌ କ୍ୟାନନ୍‌ ଟ୍ରକ୍‌ ନଷ୍ଟ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଇନ୍ଧନ ଆମଦାନି ନିମନ୍ତେ ସରକାରଙ୍କ ପାଖରେ ଯଥେଷ୍ଟ ବୈଦେଶିକ ବିନିମୟ ସମ୍ବଳ ନ ଥିବାରୁ ୨୨ ନିୟୁତ ଜନତା ଥିବା ଦ୍ବୀପଦେଶ ଶ୍ରୀଲଙ୍କାରେ ଦୈନିକ ୧୩ ଘଣ୍ଟା ବିଜୁଳି କାଟ ହେଉଛି। ଅତ୍ୟାବଶ୍ୟକ ସାମଗ୍ରୀର ଅଭାବଜନିତ ଅସ୍ବାଭାବିକ ଦର ବୃଦ୍ଧି ସହ ବିଜୁଳି କାଟ ଜନଜୀବନକୁ ବ୍ୟଥିତ କରିପକାଇଛି । ତା ସାଙ୍ଗକୁ ଖାଦ୍ୟ ର ଅଭାବ ଓ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହି ସଂକଟ ସ୍ଥିତି ମଧ୍ୟରେ ଅନେକ ଲୋକ ଦେଶ ଛାଡୁଥିବା ଦେଖିବାକୁ ମିଳିଛି ।