ଖୁବ୍‌ଶୀଘ୍ର ରାଜଧାନୀର ରାଜରାସ୍ତାରେ ଗାଡ଼ିବ ଇଲେକ୍ଟ୍ରିକ୍‌ ବସ୍‌, ଜୋର୍ ଧରିଲା ପ୍ରସ୍ତୁତି

ଭୁବନେଶ୍ବର : ଖୁବ୍‌ଶୀଘ୍ର ରାଜଧାନୀ ଭୁବନେଶ୍ବରରେ ଗଡିବ ଇଲେକ୍ଟ୍ରିକ୍‌ ବସ୍‌(ଇ-ବସ୍‌) ଗଡ଼ିବ। ଏନେଇ ଏବେ ପ୍ରସ୍ତୁତି ଜୋର ସୋର୍ ରେ ଆରମ୍ଭ ହୋଇଯାଇଛି । ବସ୍‌ ପାଇଁ କ୍ରୁଟ୍‌ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ) ତିଆରି କରିବାକୁ ଯାଉଛି ଚାର୍ଜିଂ ଷ୍ଟେସନ୍‌। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୫ଟି ବସ୍‌ ଗଡ଼ିବ। ଏହି ୫ଟି ବସ୍‌ ପାଇଁ ୩ଟି ଚାର୍ଜିଂ ଷ୍ଟେସନ୍‌ ନିର୍ମାଣ କରାଯିବ। ଏଥିପାଇଁ ‌ଖୁବ୍‌ଶୀଘ୍ର ଟେଣ୍ଡର୍‌ ଡକାଯିବ ବୋଲି ଜଣାପଡ଼ିଛି।

କ୍ରମାଗତ ଭାବେ ରାଜଧାନୀର ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ଏହି ଇ-ବସ୍‌ ରାଜଧାନୀ ପରିବେଶ ଅନୁକୂଳ ହେବ। ଏହି ବସ୍‌ ଶବ୍ଦ ଓ ବାୟୁ ପ୍ରଦୂଷଣମୁକ୍ତ। ରାଜଧାନୀରେ ୨ଶହ ଡିଜେଲ୍‌ ଚାଳିତ ଗାଡ଼ି ବନ୍ଦ ହୋଇ ଇ-ବସ୍‌ ଚାଲିଲେ ୩୦ ପ୍ରତିଶତରୁ ‌ଅଧିକ ପ୍ରଦୂଷଣ କମିପାରିବ ବୋଲି ପରିବେଶ୍‌ବିତ୍‌ମାନେ ଆକଳନ କରିଛନ୍ତି।

ତେବେ ପ୍ରଥମେ ପରୀକ୍ଷାମୂଳକ ଭାବରେ ଚାଲିବାକୁ ଥିବା ଏହି ବସ୍‌ ସଫଳ ହେଲେ, ଆଗାମୀ ଦିନରେ ବସ୍‌ ସଂଖ୍ୟା ବଢ଼ିବ। ପରେ ସେହି ଅନୁପାତରେ ଚାର୍ଜିଂ ଷ୍ଟେସନ୍‌ ମଧ୍ୟ ନିର୍ମାଣ କରାଯିବ ବୋଲି କୁହାଯାଇଛି। ୨୦୨୦ ମସିହାରେ ଏହି ଇ-ବସ୍‌ ଚଳାଇବା ପାଇଁ ଯୋଜନା ହୋଇଥିଲେ ମଧ୍ୟ କରୋନା ସଂକ୍ରମଣ ପାଇଁ ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ଏବେ କଟକଣା କୋହଳ ହେବା ପରେ ଏହାକୁ ପୁଣିଥରେ ଗୁରୁତ୍ବ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ଇ-ବସ୍‌ ଚଳାଇବାକୁ କ୍ରୁଟ୍‌ ଯୋଜନା କରିବା ପରେ ୨୦୧୯ ମସିହାରେ କ୍ରୁଟ୍‌ ୩ଟି ଇ-ବସ୍‌ ନିର୍ମାଣକାରୀ ସଂସ୍ଥାଙ୍କୁ ଭୁବନେଶ୍ବର ଡାକିଥିଲା। ସଂସ୍ଥାମାନେ ଭୁବନେଶ୍ବରରେ ଏହି ଇ-ବସ୍‌ର ଡେମୋ ଦେଖାଇଥିଲେ। ନଭେମ୍ବର ମାସରେ ଏକ ଇ-ବସ୍‌ ୨୦ ନମ୍ବର ରୁଟ୍‌ରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାହାରି ବାଣୀବିହାର ଦେଇ ଖୋର୍ଦ୍ଧା ଯାଇଥିଲା। ପରେ ପରେ ୧୦ ଦିନ ଭିତରେ ସମସ୍ତ ରୁଟ୍‌ରେ ଏହି ବସ୍‌ ଗଡ଼ିବା ସହ ଏହାର କ୍ଷମତା ପରୀକ୍ଷା କରିବା ଯୋଜନା ଥିଲା। ହେଲେ ପରେ କରୋନା ଯୋଗୁଁ ଯୋଜନା ଆଉ ଆଗେଇ ପାରି ନଥିଲା। ବସ୍‌ ଫେରିଯିବା ସହ ଯୋଜନା କଥା କ୍ରୁଟ୍‌ ଭୁଲି ଯାଇଥିଲା। କଟକଣା କୋହଳ ହେ‌ଲେ ଏହି ବସ୍‌ ଚଳାଚଳ କରିବା ନେଇ ଯୋଜନା ଥିଲା। ହେଲେ ପଛକୁ ପଛ କରୋନାର ଦ୍ବିତୀୟ ଓ ପରେ ତୃତୀୟ ଲହର ଆସିବା ଯୋଗୁଁ ୨ ବର୍ଷ ଗଡ଼ି ଯାଇଥିଲା। ଏବେ ୫ଟି ବସ୍‌ ପରୀକ୍ଷାମୂଳକ ଭାବେ ଗଡ଼ିବାକୁ ଯୋଜନା ହୋଇଛି।

ଏହି ବସ୍ ର ସିଟ୍‌ରେ ୟୁଏସ୍‌ବି ଚାର୍ଜିଂ ପଏଣ୍ଟ, ଜରୁରୀକାଳୀନ ରହଣି, ଶୀତତାପ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସୁବିଧା ଉପଲବ୍ଧ ହେବ ।

Related Posts