ଟିଏମସି ନେତାଙ୍କ ଗିରଫ ପ୍ରତିବାଦରେ କୋଲକାତା ସିବିଆଇ ଅଫିସ୍ ଆଗରେ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ , ଉତ୍ତେଜନା ବୃଦ୍ଧି ପାଇବାରୁ ସିଆରପିଏଫ୍ ମୁତୟନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନାରଦା ଷ୍ଟିଙ୍ଗ ମାମଲାରେ ପଶ୍ଚିମବଙ୍ଗର ଚାରି ଟିଏମସି ନେତାଙ୍କୁ ଆଜି ସିବିଆଇ ଗିରଫ କରିଛି। ଏହା ପରେ ବେଙ୍ଗଲ ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି। ଆଜି ଦିନ ତମାମ ସିବିଆଇ ଅଫିସ ଆଗରେ ଦେଖିବାକୁ ମିଳିଛି ହାଇଡ୍ରାମା। ମନ୍ତ୍ରୀଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି । ତାଙ୍କୁ ମଧ୍ଯ ଗିରଫ କରିବାକୁ ଦାବି କରିଛନ୍ତି। ଏପଟେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ସିବିଆଇ ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶହ ଶହ ଟିଏମସି କର୍ମୀ ସିବିଆଇ ଅଫିସ ଆଗରେ ସୁରକ୍ଷା କର୍ମୀଙ୍କ ଉପରକୁ ପଥର ମାଡ଼ କରିବା ସହ କେନ୍ଦ୍ରରେ ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହାପରେ ସୁରକ୍ଷା କର୍ମୀ ଲାଠିଚାର୍ଜ ଆରମ୍ଭ କରିଥିଲେ । ଉତ୍ତେଜନା ବୃଦ୍ଧି ପାଇବାରୁ ସିବିଆଇ କ୍ୟାମ୍ପସ୍ ଭିତରେ ଏବଂ ମୁଖ୍ୟ ଫାଟକ ବାହାରେ ବହୁ ସଂଖ୍ୟକ CRPF କର୍ମଚାରୀ ନିୟୋଜିତ କରାଯାଇଥିଲା । ଏପଟେ ଘଟଣାକୁ ରାଜ୍ୟପାଳ ଜଗଦୀପ ଧନଖଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟପାଳ ଟ୍ୱିଟ୍ କରି କହିଛନ୍ତି, ” ଯେଉଁ ଅପ୍ରିତିକିର ସ୍ଥିତି ଉପୁଜିଛି ତାହା ଆଶ୍ଚର୍ଯ୍ୟଜନକ। କୋଲକାତା ଓ ରାଜ୍ୟ ପୁଲିସ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ଆଣିବା ପରିବର୍ତ୍ତେ ନିରବ ହୋଇ ରହିବା ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସାମ୍ୱିଧାନିକ ପଦ୍ଧତିକୁ ପାଳନ କରିବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି।”

ନିର୍ବାଚନ ପରେ ଆକ୍ରୋଶ ମୂଳକ ଭାବେ ସିବିଆଇର ହଠାତ୍ କାର୍ଯ୍ୟାନୁଷ୍ଠାନ କୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ, ୨୦୧୪ ମସିହାର ହାଇପ୍ରୋଫାଇଲ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିବା ପରିବର୍ତ୍ତେ ରାଜ୍ୟପାଳଙ୍କ ଅନୁମତି ମାଗିଥିଲା ସିବିଆଇ। ଆଉ ରାଜ୍ୟପାଳ ଅନୁମତି ମଧ୍ୟ ଦେଇଥିଲେ। ଏହାପରେ ଆଜି ସିବିଆଇ ଟିଏମସି ନେତା ଫିରହାନ, ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ ଓ ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଛି । ଏହି ମାମଲାରେ ସିବିଆଇ ଏକ ୨୮ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିବା ନେଇ ସୂଚନା ରହିଛି। ଏହି ଗିରଫଦାରକୁ ସେ ବିରୋଧ କରି ସିବିଆଇ ଅଫିସ ସାମ୍ନାରେ ଟିଏମସି କର୍ମୀ ବହୁ ସଂଖ୍ୟାରେ ରୁଣ୍ଡ ହୋଇଯାଇଥିଲେ । ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ନାରାବାଜି କରିବା ସହ ଟିଏମସି କର୍ମୀମାନେ ଢେଲା ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଫଳରେ ବାଧ୍ୟ ହୋଇ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା ।

Related Posts