ପଞ୍ଜାବ ପଲିଟିକ୍ସ; ପଞ୍ଜାବବାସୀଙ୍କୁ ମିଛ କହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ କେଜ୍ରିୱାଲ: ସିଦ୍ଧୁ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ରାଜ୍ୟର ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । କିଛି ଦିନ ତଳେ ଆମ ଆଦମୀ ପାର୍ଟି ପଞ୍ଜାବରେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । ସେପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଆପ ପାର୍ଟି ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରିଥିଲା । ଏବଂ ପଞ୍ଜାବବାସୀଙ୍କୁ ନିଜ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବାକୁ କେଜ୍ରିୱାଲ କହିଥିଲେ । ଏହା ପରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଭୋଟ ଦେଇ ଭଗବନ୍ତ ମନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବାଛିଥିଲେ ।

କିନ୍ତୁ ଏହାକୁ ଏବେ ମିଛ ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ତେବେ ଆମ୍ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଏକ ନମ୍ବର ଲଞ୍ଚ କରିଥିଲା ଏବଂ ଏହି ନମ୍ବରରେ ୨୧ଲକ୍ଷ ବାର୍ତ୍ତା ଆସିଥିବା ଦାବି କରିଥିଲା। ଯଦିଓ ଏହି ନମ୍ବର ୨୪ଘଣ୍ଟା ପାଇଁ ଖୋଲା ରୁହେ, ତେବେ ଏଥିରେ ୫ ହଜାରରୁ ଅଧିକ ବାର୍ତ୍ତା କିମ୍ବା କଲ୍ ଗ୍ରହଣ କରାଯାଇପାରିବ ନାହିଁ । ଆପକୁ ୨୧ଲକ୍ଷ ବାର୍ତ୍ତା ଆସିଲା କେମିତି? ଏହା ଏକ ପ୍ରକାର ଘୋଟାଲା ଏବଂ ଆମେ ଏହା ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛୁ। ଏଥିସହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।

Related Posts