ୟୁପି ପଲିଟିକ୍ସ; ହିନ୍ଦୁ ଦେବତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା; କୋର୍ଟରେ ହାଜର ହେଲେ ନାହିଁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଆଉ ମାତ୍ର କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏସବୁ ମଧ୍ୟରେ ଅନେକ ନେତାମାନେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ଯାଇ ମିଶୁଛନ୍ତି । ତେବେ କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ଉତ୍ତରପ୍ରଦେଶ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ଏପରିକି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଦେବତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ଏକ ପୁରଣା ମାମଲା ସାମ୍ନାକୁ ଆସିଥିଲା । ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏହି ମାମଲା ପାଇଁ କୋର୍ଟରେ ହାଜର ହୋଇନଥିବାର ସୂଚନା ମିଳିଛି । ତେବେ ହାଇକୋର୍ଟଙ୍କ ରହଣି ନିର୍ଦ୍ଦେଶ ଏବଂ କରୋନା ସଂକ୍ରମଣ ସମ୍ପର୍କରେ ସ୍ପଷ୍ଟତା ନଥିବାରୁ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୪ କୁ କୋର୍ଟ ସ୍ଥିର କରିଛନ୍ତି। ଅନ୍ୟପଟେ ଧାନପାଟଗଞ୍ଜ ବ୍ଲକର ଯିହୁଦାପାଟୀ ନିବାସୀ ଆଡଭୋକେଟ ଅନିଲ ତିୱାରୀ ଦେବତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ କୋର୍ଟରେ ମକଦ୍ଦମା ଦାୟର କରିଥିଲେ । ତେବେ ଲକ୍ଷ୍ନୌରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଦେବତାଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏହି ମନ୍ତବ୍ୟ ଅଭିଯୋଗକାରୀଙ୍କ ସମେତ ଅନ୍ୟ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଦର୍ଶାଯାଇଥିଲା ।

Related Posts