ଛେରା ପହଁରା କଲେ ଗଜପତି ମହାରାଜା

ସବୁ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ ତାମଯାନରେ ଆସି ପହଞ୍ଚିଲେ ଗଜପତି ମହାରାଜା। ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଗଜପତି ଦିବ୍ୟସିଂହ ଦେବ ଏବେ ରଥ ଉପରେ। ଚଳନ୍ତି ଠାକରଙ୍କୁ ରଥ ଉପରେ ଦେଖି ଭକ୍ତ ବି ବିଭୋର। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ  ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ  କରିଛନ୍ତି ଛେରାପହଁରା।

ରାଜ ପରିବାରର ସଦସ୍ୟ, ରାଜଗୁରୁ , ମେକାପ, ଗରାବଡୁ, ଲେଙ୍କା, ଓ ଦେଉଳକରଣ ଆଦି ସେବକକୁ ନେଇ ରଥ ଉପରକୁ ଯାଇଥାନ୍ତି ଗଜପତି।   ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ଗଜପତି ପୁଷ୍ପାଞ୍ଜଳି ଦେଇ ଛେରା ପହଁରା କରିଥାନ୍ତି।

ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ କରାଯାଇଥିଲା। ତେଣୁ ଆଜି ନିର୍ଦ୍ଧାରିତ ସମୟର ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଦ୍ଧା ସବୁ ରୀତିନୀତି ଠିକ୍‌ ସମୟରେ ସମ୍ପନ୍ନ ହୋଇଛି। ଛେରାପହଁରା ସହ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହେବ।

Related Posts