ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣ ସମଗ୍ର ବିଶ୍ବ‌ରେ ଗ୍ୟାସ୍‌ ଓ ଖାଦ୍ୟ ଦାମ୍‌ ବୃଦ୍ଧି କରାଇଛି: ଆମେରିକା ରାଷ୍ଟ୍ରପତି

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ତେବେ ଯୁଦ୍ଧକୁ ନେଇ ଏହାର ପ୍ରଭାବ ବିଶ୍ବବ୍ୟାପୀ ପଡିଛି | ଫଳ ସ୍ୱରୂପ ବିଶ୍ୱରେ ଗ୍ୟାସ୍‌ ଓ ଖାଦ୍ୟ ଦାମ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି | ଏହି ବର୍ଦ୍ଧିତ ଦର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ୟୁକ୍ରେନ୍‌ ଆକ୍ରମଣକୁ ଦାୟୀ କରିଛନ୍ତି।

ଟୁଇଟ୍‌ କରି ଆଜି ସେ ଲେଖିଛନ୍ତି, ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣ ସମଗ୍ର ବିଶ୍ବ‌ରେ ଗ୍ୟାସ୍‌ ଓ ଖାଦ୍ୟ ଦାମ୍‌ ବୃଦ୍ଧି କରାଇଛି। ଏଭଳି ସଙ୍କଟ ଟାଳିବାରେ ସହାୟକ ହେବାକୁ ଗତକାଲି ମୁଁ ଆମ ‘ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ୍‌ ରିଜର୍ଭ’ରୁ ଆଗାମୀ ୬ ମାସ ନିମ‌େନ୍ତେ ଦୈନିକ ୧ ନିୟୁତ ବ୍ୟାରେଲ୍‌ ରିଲିଜ୍‌ କରିବା ଲାଗି ଅନୁମତି ଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଜାଣେନା ଏଭଳି ପଦକ୍ଷେପ ଗ୍ରହଣ କରିବା ଫଳରେ ଗ୍ୟାସୋଲିନ୍‌ ମୂଲ୍ୟ କେତେ ହ୍ରାସ ପାଇବ। ମନେହୁଏ, ଗ୍ୟାଲୋନ୍‌ପିଛା ୧୦ ସେଣ୍ଟ୍‌ରୁ ୩୫ ସେଣ୍ଟ୍‌ ମଧ୍ୟରେ କମିପାରେ।

ଗୁରୁବାର ଦିନ ମଧ୍ୟ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ର ନୂତନ ମୁଖ୍ୟ ଅର୍ଥନୀତିଜ୍ଞ ପାଇର୍‌-ଅଲିଭର୍‌ ଗୋର୍ଣ୍ଣିକାସ୍‌ କହିଥିଲେ ଯେ, ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ବିଶ୍ବ ଅର୍ଥନୀତିକୁ ଏଭଳି ଶକ୍ତ ଧକ୍କା ଦେଇଛି ଯାହା ଯୋଜନା ପ୍ରଣେତାଙ୍କ ପାଇଁ ଚାଲେଞ୍ଜ୍‌ ପାଲଟିବ। କାରଣ ଅଭିବୃଦ୍ଧିକୁ ଚପାଇ ନ ରଖି ସେମାନଙ୍କୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ପଡ଼ିବ।

ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଟ୍ରେଜେରିର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ପାଶ୍ଚାତ୍ୟ ରାଷ୍ଟ୍ର ଜାରି କରିଥିବା କଟକଣା ଯୋଗୁଁ ରୁଷ୍‌ରେ ସାମୟିକ ଆର୍ଥିକ ଅବନତି ଆରମ୍ଭ ହୋଇ ଅର୍ଥନୈତିକ କାର୍ଯ୍ୟକଳାପ ନିଜ ଦେଶ ମଧ୍ୟରେ ସୀମିତ ହୋଇଗଲାଣି।

Related Posts