ଶ୍ରେଣୀ କକ୍ଷରେ ଛାତ୍ର ଛାତ୍ରୀ ମାନଙ୍କୁ ଏକାଠି ବସାଇବା ଭାରତୀୟ ସଂସ୍କୃତିର ବିରୋଧୀ ଅଟେ: ଭେଲାପାଲି ନାଟସନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରେଣୀ କକ୍ଷରେ ଛାତ୍ର ଛାତ୍ରୀ ମାନଙ୍କୁ ଏକାଠି ବସାଇବା ଭାରତୀୟ ସଂସ୍କୃତିର ବିରୋଧୀ ତଥା ଅବମାନନା ଏବଂ ଏହା ଅରାଜକତା ସୃଷ୍ଟି କରେ। କିଛି ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେରଳର ହିନ୍ଦୁ ଏଜାଭା ସମ୍ପ୍ରଦାୟର ନେତା ଭେଲାପାଲି ନାଟସନ । କୋଚିରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଭେଲାପାଲି କହିଛନ୍ତି ଯେ ଉଭୟ ଛାତ୍ରୀ ଏବଂ ଛାତ୍ରଙ୍କୁ ସମାନ ୟୁନିଫର୍ମରେ ଓ ବିଦ୍ୟାଳୟରେ ଏକାଠି ଶିକ୍ଷା ଦିଆଯିବା ପାଇଁ ଏଲଡିଏଫ୍‌ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୀତି ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଅତି ଘନିଷ୍ଠ ବୋଲି ବିବେଚନା କରାଯାଉଥିବା ନାଟସନ କହିଛନ୍ତି ଯେ ଆମେ ଶ୍ରେଣୀରେ ଏକାଠି ବସିଥିବା ବାଳିକା ଏବଂ ବାଳକମାନଙ୍କ ସପକ୍ଷରେ ନାହୁଁ। ଆମର ନିଜସ୍ବ ସଂସ୍କୃତି ଅଛି। ଆମେ ଆମେରିକା କିମ୍ବା ଇଂଲଣ୍ଡରେ ବାସ କରୁନାହୁଁ। ନାଟସନ କହିଛନ୍ତି ଯେ ଆମ ସଂସ୍କୃତି ପୁଅ ଏବଂ ଝିଅମାନଙ୍କୁ ଆଲିଙ୍ଗନ କରିବା ଏବଂ ଏକାଠି ବସିବା ଗ୍ରହଣ କରେ ନାହିଁ।

ସେ କହିଛନ୍ତି ଯେ ଛାତ୍ରୀଛାତ୍ରମାନଙ୍କ ଏକାଠି ବସିବା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ଅଧିକାଂଶ ହିନ୍ଦୁ ମହାବିଦ୍ୟାଳୟରେ ଏଭଳି ବ୍ୟବସ୍ଥା ଦେଖାଯାଉଛି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ରୁ ଏହିପରି ଅନୁଷ୍ଠାନଗୁଡିକ ପାଇଁ ଭଲ ଗ୍ରେଡ କିମ୍ବା ପାଣ୍ଠି ନ ମିଳିବାର ଏହା ଅନ୍ୟତମ କାରଣ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୮ବର୍ଷରୁ କମ ବୟସର ଯୁବବର୍ଗ ଏକାଠି ବସି ପରସ୍ପରକୁ ଆଲିଙ୍ଗନ କରିବା ଉଚିତ ନୁହେଁ। ଥରେ ପିଲାମାନେ ବୟସ୍କ ଏବଂ ପରିପକ୍ୱ ହୋଇଗଲେ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ ବୋଲି ନାଟସନ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ଏଲଡିଏଫ ସରକାର ନିଜକୁ ଧର୍ମନିରପେକ୍ଷ ସରକାର ବୋଲି କହିବା ସତ୍ତ୍ୱେ ଧାର୍ମିକ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ଏନେଇ କିଛି ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି।

ତେବେ ନାଟସନଙ୍କ ଏଭଳି ମନ୍ତବ୍ୟ ନେଇ ରାଜ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ତଜନା ପ୍ରକାଶ ପାଇଛି। କେତେକ ଲୋକ ଏହାକୁ ତାଲିବାନୀ ନାତି ବୋଲି ମଧ୍ୟ କହିଛନ୍ତି।

Related Posts