
ଅଡ଼ୁଆରେ ଜଣାଶୁଣା ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନ । ତାଙ୍କ ବିରୋଧରେ ଆସିଛି ସ୍ମଗ୍ଲିଂ ଅଭିଯୋଗ । ସେ ତିନି ବର୍ଷ ଧରି ଭାରତକୁ ବେଆଇନ ଭାବେ ବିଦେଶୀ ମୁଦ୍ରା ଆଣୁଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ରାହତ ଫତେ ଅଲ୍ଲୀ ଖାନ୍ ପ୍ରାୟ ୩ ଲକ୍ଷ ୪୦ ହଜାର ଡଲାର ବା ପ୍ରାୟ ୨ କୋଟି ୪୨ ଲକ୍ଷ ଟଙ୍କା ବେଆଇନ ଭାବେ ଗ୍ରହଣ କରିଥିଲେ । ଏଥିରୁ ପ୍ରାୟ ଦେଢ଼ କୋଟି ଟଙ୍କା ସ୍ମଗଲିଂ କରାଯାଇଥିବା ଜଣାପଡ଼ିଛି । ଘଟଣାର ତଦନ୍ତ କରୁଥିବା ED, ସ୍ପଷ୍ଟୀକରଣ ପାଇଁ ରାହତଙ୍କୁ ନୋଟିସ୍ ଜାରି କରିଛି ।
ତାଙ୍କ ଉତ୍ତର ସନ୍ତୋଷଜନକ ନହେଲେ ED ରାହତଙ୍କ ଉପରେ ୩ ଶହ ପ୍ରତିଶତ ଜରିମାନା ଲଗାଇପାରେ । ଏହାକୁ ପଇଠ ନକଲେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯିବ ଏବଂ ଭାରତରେ କୌଣସି ସଂଗୀତ କାର୍ଯ୍ୟକ୍ରମ ବା ସୋ କରିବା ଉପରେ କଟକଣା ଲଗାଯିବ ।