ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିବା ପଡ଼ିଲା ମହଙ୍ଗା । ତେବେ ଉଭୟ ନିଜ ଦାୟିତ୍ୱରୁ ଓହରି ଯିବା ଦରକାର ବୋଲି ନେତା ଜଣକ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ କଂଗ୍ରେସ ନେତାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏପରି ବୟାନ ଦେଇଥିବା କଂଗ୍ରେସ ନେତାଙ୍କୁ ଆଜି ତାମିଲନାଡୁ ମୁଖପାତ୍ର ପଦରୁ ବିଦା କରାଯାଇଛି। ତେବେ ଏଆଇସିସି ସଦସ୍ୟ ଆମେରିକାଇ ଭି ନାରାୟଣ ହିଁ ଏପରି ବୟାନ ଦେଇଥିଲେ। ଭାରତୀୟଙ୍କ ବିଶ୍ୱାସ ଜିତିବାକୁ ହେଲେ ଭଲ ପ୍ରଦର୍ଶନ କରିବାର ଦକ୍ଷତା ରଖିଥିବା ପୂର୍ବତନ କଂଗ୍ରେସ ନେତାମାନଙ୍କୁ ନିଜ ପାଖକୁ ଆଣିବାକୁ ପଡ଼ିବ। ଏମାନଙ୍କ ମଧ୍ୟରେ ମମତା ବାନାର୍ଜୀ, ଶରଦ ପାୱାର, ଜଗନ ମୋହନ ରେଡ୍ଡୀ, କେ ଚନ୍ଦ୍ରଶେଖର ରାଓ ପ୍ରମୁଖ ଅଛନ୍ତି ବୋଲି ନାରାୟଣ କହିଥିଲେ । ସେମାନେ ଗଠନ କରିଥିବା ଦଳ କଂଗ୍ରେସରେ ଲୀନ ହେବାର ବ୍ୟବସ୍ଥା ହେବା ଜରୁରୀ। ଏହା ବାହାର ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବ ଓ କଂଗ୍ରେସ ମଧ୍ୟ ଆଗକୁ ବଢ଼ିବ। ଏହି ଆକଳନ ସୃଷ୍ଟି ହେଲେ କ୍ଷମତା ଓ ଟଙ୍କା ବି ଆସିବ। ଯଦି ମମତା ବାନାର୍ଜୀ ଫେରିବେ, ତା’ହେଲେ ସେ ସମସ୍ତଙ୍କୁ ମନେଇ ପାରିବେ।” ଦକ୍ଷିଣ ଭାରତରେ ଗାନ୍ଧି ପରିବାରକୁ କୌଣସି ନେତା ଖୋଲାଖୋଲି ଟାର୍ଗେଟ କରିବା ବିରଳ ଘଟଣା। ନାରାୟଣ ମଧ୍ୟ ଜି-୨୩ ଗୋଷ୍ଠୀରେ ନାହାନ୍ତି। ତଥାପି ସେ କଂଗ୍ରେସର ପୁର୍ନଜୀବିତ ପାଇଁ କିଛି ପ୍ରସ୍ତାବ ଗଣମାଧ୍ୟମ ଆଗରେ ରଖି ଚର୍ଚ୍ଚାକୁ ଆସିଛନ୍ତି।
କାହିଁକି ମମତା ବାନାର୍ଜୀ ତାଙ୍କ ଟିଏମସିକୁ କଂଗ୍ରେସରେ ମିଶାଇବାକୁ ରାଜି ହେବେ ବୋଲି ପ୍ରଶ୍ନରେ ନାରାୟଣ କହିଛନ୍ତି, “ତୃଣମୂଳ ଅପେକ୍ଷା କଂଗ୍ରେସରେ ମମତା ରହିଲେ ବେଶ ସହଜରେ ପ୍ରଧାନମନ୍ତ୍ରୀ ହୋଇପାରିବେ। ଗାନ୍ଧି ପରିବାରର ସମ୍ପର୍କରେ ତାଙ୍କର ଚିନ୍ତାଧାରା କ’ଣ ବୋଲି ପ୍ରଶ୍ନ କରାଯିବାରୁ ନାରାୟଣ କହିଥିଲେ ଯେ “ରାହୁଲ ଓ ପ୍ରିୟଙ୍କା ନିଜ ଦାୟିତ୍ୱରୁ ହଟିଯିବା ଦରକାର। ସୋନିଆ ଗାନ୍ଧି ଆଗରେ ରହି କଂଗ୍ରେସର ଚେହେରା ବନିବା ଉଚିତ। ମୁଁ ରାହୁଲ ଗାନ୍ଧିଙ୍କୁ ବହୁତ ଭଲ ପାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଠିକ୍ କାମ କରିପାରୁ ନାହାନ୍ତି। ସୋନିଆ ଗାନ୍ଧିଙ୍କ ଟ୍ରାକ ରେକର୍ଡ ଭଲ ରହିଛି। ତେଣୁ ସୋନିଆ ଗାନ୍ଧି ଏକାକୀ ନିଷ୍ପତ୍ତି ନିଅନ୍ତୁ। ରାହୁଲ ଓ ପ୍ରିୟଙ୍କାଙ୍କୁ ମୁଁ ଏଥିରେ ହସ୍ତକ୍ଷେପ ନ କରିବାକୁ ଅନୁରୋଧ କରୁଛି ବୋଲି ଆମେରିକାଇ ଭି ନାରାୟଣ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।