ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ପରିବାକୁ ଭେଟିବା ପାଇଁ ମନସା ଜିଲ୍ଲାର ମୁସା ଗାଁରେ ରାହୁଲ ଗାନ୍ଧୀ ପହଞ୍ଚିଛନ୍ତି । ସେ କିଛି ଘଣ୍ଟା ପୂର୍ବରୁ ଚଣ୍ଡିଗଡ଼ରେ ପହଞ୍ଚି ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂ ୱାରିଙ୍ଗ ଏବଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ପ୍ରତାପ ସିଂ ବାଜୱାଙ୍କ ସହ ମନସା ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ। ସେପଟେ ୨୮ ବର୍ଷ ବୟସ୍କା ଗାୟକ ସିଦ୍ଧୁ ମୁସେୱାଲାଙ୍କ ଦେହାନ୍ତ ହେବାର ଏକ ସପ୍ତାହରୁ ଅଧିକ ସମୟ ପରେ ରାହୁଲ ଗାନ୍ଧୀ ତାଙ୍କ ପରିବାରକୁ ସେମାନଙ୍କ ପୈତୃକ ଘରେ ଭେଟିଥିଲେ । ସିଦ୍ଧୁଙ୍କର କେବଳ ଭାରତରେ ନୁହେଁ ବରଂ କାନାଡାରେ ମଧ୍ୟ ତାଙ୍କର ଅନେକ ଅନୁସରଣକାରୀ ଅଛନ୍ତି । ଏହା ପୂର୍ବରୁ ଅନେକ ନେତା ସାନ୍ତ୍ୱନା ଦେବା ପାଇଁ ମୁସେୱାଲାଙ୍କ ଘରେ ପହଞ୍ଚିଥିଲେ ।

ଏହି କ୍ରମରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ ଏବଂ ହରିୟାଣା ଆମ ଆଦମି ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଏମପି ଡକ୍ଟର ଅଶୋକ ତନୱାର ତାଙ୍କ ପରିବାର ସହିତ ମୁସେୱାଲାଙ୍କ ବାସଭବନରେ ପହଞ୍ଚି ମୁସେୱାଲାଙ୍କ ହତ୍ୟାକୁ ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ଅନ୍ୟପଟେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କ କେସ ନଲଢ଼ିବାକୁ ମନସା ଜିଲ୍ଲା ବାର ଆସୋସିଏସନ ଘୋଷଣା କରିଛି । ତେବେ ବାର ଆସୋସିଏସନ ମୁସେୱାଲାଙ୍କ ମାମଲା ବିନା ମୂଲ୍ୟରେ ଲଢ଼ିବ ବୋଲି ଘୋଷଣା କରିଛି ।