ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ବୋଧ ହୁଏ ଭୁଲିବା ରୋଗ ଅଛି । ତେଣୁ ଆମେ ତାଙ୍କ ଦଳର ଶାସନ କାଳରେ କର୍ଣ୍ଣାଟକରେ ଘଟିଥିବା ଦୁର୍ନୀତିର ସମ୍ପୂର୍ଣ୍ଣ ବିବରଣୀ ତାଙ୍କ ନିକଟକୁ ପଠାଇ ଦେବୁ। ଏଭଳି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ । ତେବେ ଶନିବାର ଦିନ ଭାରତ ଯୋଡ଼ ଯାତ୍ରା ୧୦୦୦ କିଲୋମଟର ଅତିକ୍ରମ କରିବା ଅବସରରେ ରାହୁଲ ଗାନ୍ଧି ଏକ ଜସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କର୍ଣ୍ଣାଟକର ବିଜେପି ସରକାର ଉପରେ ବର୍ଷିଥିଲେ ଓ ଦାବି କରିଥିଲେ ଯେ କେବଳ ଟଙ୍କା ଥିବା ଲୋକମାନେ କର୍ଣ୍ଣାଟକରେ ଚାକିରି ପାଇବେ। କର୍ଣ୍ଣାଟକର ବିଜେପି ସରକାର ଦୁର୍ନୀତିରେ ବୁଡି ରହିଥିବା ରାହୁଲ ଅଭିଯୋଗ କରିଥିଲେ। ତେବେ ତାଙ୍କର ଏହି ମନ୍ତବ୍ୟ ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏପରି ପ୍ରତିକ୍ରିୟା ଦେଇଛନ୍ତି।
ବୋମ୍ମାଇ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କୁ ହୁଏତ ଆମନେସିଆ ( ଭୁଲିବା ରୋଗ ) ହୋଇଥାଇ ପାରେ କିମ୍ବା କଂଗ୍ରେସ ନେତାମାନେ ତାଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଇ ନାହାଁନ୍ତି ଯେ କଂଗ୍ରେସ ଶାସନ ସମୟରେ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଅନ୍ୟ କୌଣସି ରାଜ୍ୟରେ କେବେ ହୋଇନାହିଁ।
ମାଣ୍ଡିଆରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ବୋମ୍ମାଇ କହିଛନ୍ତି ଯେ, କଂଗ୍ରେସ ଶାସନ କାଳରେ ପୋଲିସ-ଶିକ୍ଷକ ଏବଂ ଓକିଲ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ କଂଗ୍ରେସ ଶାସନ କାଳରେ କର୍ଣ୍ଣାଟକରେ ହୋଇଥିବା ପ୍ରି-ୟୁନିଭରସିଟି କୋର୍ସ (ପିୟୁସି) ପ୍ରଶ୍ନ ପେପର ଲିକ୍ ସ୍କାମ ସମେତ ଏହି ସବୁ ମାମଲାର ସବିଶେଷ ତଥ୍ୟ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଯିବ। ଏହି ତଥ୍ୟ ଓ ଦଲିଲ ଦ୍ଵାରା ତାଙ୍କ ସରକାର ସମୟରେ କର୍ଣ୍ଣାଟକରେ କେତେ ଦୁର୍ନୀତି ଘଟିଛି ତାହା ରାହୁଲ ଜାଣି ପାରିବେ ବୋଲି ବୋମ୍ମାଇ କହିଛନ୍ତି।
