
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଲକିସ୍ ବାନୋ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ କଥା କହିବା ଓ କାମ କରିବା ଭିତରେ କେତେ ଫରକ ଏବେ ସାରା ଦେଶ ଦେଖୁଛି । ରାହୁଲ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣ ଉପରେ କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଦେଶର ବିକାଶ ପାଇଁ ମହିଳାଙ୍କ ସମ୍ମାନ ମିଳିବା ନିହାତି ଆବଶ୍ୟକ ।ଏହାସହ ପ୍ରଧାନମନ୍ତ୍ରୀ ନାରୀଶକ୍ତିକୁ ସମର୍ଥନ କରିବାକୁ ଆହ୍ୱାନ ଦେଉଥିବା ବେଳେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକୁଳାଇବା କେତେ ଯୁକ୍ତିଯୁକ୍ତ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।
ରାହୁଲ ଗାନ୍ଧୀ ଟ୍ୱିଟ କରି ଆହୁରି କହିଛନ୍ତି ଯେ, ୫ ମାସର ଗର୍ଭବତୀ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର ୩ ବର୍ଷର ଶିଶୁକୁ ହତ୍ୟା କରିଥିବା ଅପରାଧୀମାନଙ୍କୁ ଆଜାଦୀ କି ଅମୃତ ମହୋତ୍ସବରେ ଛାଡ କରାଗଲା । ଯେଉଁ ସରକାର ଲାଲକିଲ୍ଳାରେ ନାରୀଶକ୍ତିକୁ ନେଇ ଭାଷଣ ଦେଉଛନ୍ତି ଏଭଳି ଘଟଣା ପରେ ସେମାନେ ଦେଶକୁ କଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି।
ସୂଚନା ଥାଉକି, ୨୦୦୨ ମସିହା ମାର୍ଚ୍ଚ ୩ ତାରିଖରେ ଗୋଧ୍ରାକାଣ୍ଡ ପରେ ହୋଇଥିବା ଦଙ୍ଗାରେ ଗୁଜୁରାଟର ଦାହୋଦ ଜିଲ୍ଲା ଲିମଖେଡା ରନ୍ଧିକପୁର ଗ୍ରାମରେ ରହୁଥିବା ବିଲକିସଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା । ଏହି ସମୟରେ ବିଲକିସ ୫ ମାସର ଗର୍ଭବତୀ ଥିଲେ । କିଛି ଲୋକ ବିଲକିସଙ୍କ ସହ ବଳାତ୍କାର କରିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୧ ଜଣଙ୍କୁ ୨୦୦୪ ମସିହାରେ ଗିରଫ କରାଯାଇଥିଲା । ଏହାପରେ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ହେଲେ ଅଗଷ୍ଟ ୧୫ ଦିନ ସେମାନଙ୍କୁ ଜେଲରୁ ଛାଡ କରାଯାଇଛି । ଏହାପରେ ଉକ୍ତ ଘଟଣାକୁ ନେଇ ସାରା ଦେଶରୁ ଆଇନ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିବାରେ ଲାଗିଛି ।