ମୋଦୀଙ୍କ ‘ମନ୍‌ କି ବାତ୍‌’ କୁ ରାହୁଲଙ୍କ କଡା ସମାଲୋଚନା : “କୋଭିଡ୍ ସହ ଲଢିବା ପାଇଁ ସଠିକ୍ ନୀତି ଓ ପ୍ରତିବଦ୍ଧତା ଆବଶ୍ୟକ , ଅଯଥା କଥା ନୁହେଁ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ନେଇ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ମାସକୁ ଥରେ ହେଉଥିବା ‘ଅଯଥା କଥା’ ବଳରେ କୋଭିଡ୍‌ ମହାମାରୀ ସହ ମୁକାବିଲା କରାଯାଇ ନଥାଏ ଏଥିପାଇଁ ଏକ ସଠିକ୍ ନୀତି ଓ ପ୍ରତିବଦ୍ଧତା ଆବଶ୍ୟକ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ର ୭୭ତମ ସଂସ୍କରଣରେ ‘ଅମ୍ଳଜାନ ପାଇଁ ଦେଶ ଚଳାଇଥିବା ଉଦ୍ୟମ ଓ ପୂର୍ବ ଭାରତୀରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ କଥା ଉଠାଇଥିଲେ।

ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଭାରତରେ କରୋନାର ଦ୍ବିତୀୟ ଲହର ଆସିଛି। ଏଥିପାଇଁ ସେ ନିଜେ ହିଁ ଦାୟୀ। ଭାରତରେ ଟିକାକରଣ ପାଇଁ ସଠିକ୍ ରଣନୀତି କରାଯାଇ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ କି, କେନ୍ଦ୍ର ସରକାର ଦର୍ଶାଉଥିବା କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ସଠିକ୍‌ ନୁହେଁ। କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟ ନ କଲେ ଆଗକୁ ଏହି ମହାମାରୀର ଆହୁରି ଅନେକ ତରଙ୍ଗ ଆସିବ ବୋଲି ସେ ଚେତାବନୀ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ ଏକାସାଙ୍ଗରେ ଏକାଧିକ ଇଭେଣ୍ଟ ସହ ମୁକାବିଲା କରିପାରିବେ ନାହିଁ। ଯଦି କୌଣସି ଘଟଣା ଘଟେ ତେବେ ପିଏମ୍ ଏକ ଇଭେଣ୍ଟ ଆୟୋଜନ କରିଦିଅନ୍ତି ଏବଂ କେବଳ ସେଥିରେ ବ୍ୟସ୍ତ ରୁହନ୍ତି । ଏଭଳି ପରିସ୍ଥିତିରେ ଆମେ ଇଭେଣ୍ଟ ମ୍ୟାନେଜରଙ୍କ ସହ କାମ କରିପାରିବୁ ନାହିଁ। ଆମକୁ ଜଣେ ପ୍ରଭାବଶାଳୀ ତଥା କଠୋର ପ୍ରଶାସନ ଆବଶ୍ୟକ ବୋଲି ସେ କହିଛନ୍ତି ।

Related Posts