ରାହୁଲଙ୍କ ପ୍ଲାନ୍‌-2019

ରାଜସ୍ଥାନ ସମେତ ତିନିଟି ରାଜ୍ୟରେ ସରକାର ଗଠନ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେବାକୁ ଦମ୍‌ ରଖୁଛନ୍ତି । ଏକ ବିଦେଶୀ ନ୍ୟୁଜ୍‌ ଏଜେନ୍ସିକୁ ଦେଇଥିବା ଇଣ୍ଟରଭ୍ୟୁରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ ଜନତାଙ୍କର ମନର କଥା ସେ ବୁଝିଛନ୍ତି, ତାହା ହେଲା ନରେନ୍ଦ୍ର ମୋଦି ସରକାରକୁ କ୍ଷମତାରୁ ହଟାଇବା ।

ରାହୁଲ ସ୍ପଷ୍ଟ କରିଛନ୍ତି ଯେ ଏଥିପାଇଁ ସେ ବିରୋଧୀଙ୍କୁ ଏକଜୁଟ କରିବା ରଣନୀତି ପ୍ରସ୍ତୁତ କରିଛନ୍ତି । ରାହୁଲ ଗୋଟିଏ ପଟେ ମେଣ୍ଟ ରାଜନୀତି ଆଡ଼କୁ ଇସାରା ଦେଇଛନ୍ତି, ଅନ୍ୟପଟେ କଂଗ୍ରେସ ଦଳର ରାଜନୈତିକ ଶକ୍ତିର ବି ସଙ୍କେତ ଦେଇଛନ୍ତି । ରାହୁଲଙ୍କ ଅନୁସାରେ ଦେଶର ତିନିଟି ବଡ଼ ରାଜ୍ୟରେ ସରକାର କରିଥିବା କଂଗ୍ରେସକୁ ହାଲୁକାରେ ନିଆନଯାଉ । ଉତ୍ତରପ୍ରଦେଶରେ କଂଗ୍ରେସର ଶକ୍ତିକୁ କମ୍‌ ଆକଳନ କରାନଯାଉ । ଉତ୍ତରପ୍ରଦେଶରେ କଂଗ୍ରେସ ଅଲଗା ନିର୍ବାଚନ ଲଢ଼ିପାରେ । ଉତ୍ତରପ୍ରଦେଶରେ ମାୟା-ଅଖିଳେଶ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସକୁ ଦୂରରେ ରଖିବା କଥା କୁହାଯାଉଥିବାରୁ ରାହୁଲଙ୍କର ଏହି ଜବାବ୍‌ ସେମାନଙ୍କ ପାଇଁ ହୋଇପାରେ ।

ନିଜ ଶକ୍ତି କଥା କହିବା ସହ ବହୁ ରାଜ୍ୟରେ ମେଣ୍ଟ କଥା ସ୍ବୀକାର କରିଛନ୍ତି ରାହୁଲ । ରାହୁଲଙ୍କ ଅନୁସାରେ ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ ଓ ତାମିଲନାଡୁରେ ଦଳ ମଜବୁତ ମେଣ୍ଟ ସହ ନିର୍ବାଚନ ଲଢ଼ିବ । ଏଥିପାଇଁ ଜାରି ରହିଛି ପ୍ରୟାସ ।
2014ରେ ବଡ଼ ପରାଜୟ ପରେ ସମୟ ବଦଳୁଛି ।

ଏକଦା ମୋଦି ସରକାରକୁ ବିରୋଧ କରୁଥିବା ବହୁ ବିରୋଧୀ ଦଳ କଂଗ୍ରେସ ନେତୃତ୍ବକୁ ବି ବିରୋଧ କରୁଥିଲେ । କିନ୍ତୁ କେତେକ ରାଜ୍ୟରେ ଉପନିର୍ବାଚନ ଫଳ ଓ ଗତ ଡିସେମ୍ବରରେ 3ଟି ହିନ୍ଦୀ ଭାଷୀ ରାଜ୍ୟରେ କଂଗ୍ରେସର ସରକାର ଗଠନ ପରେ ଦେଶରେ ରାଜନୈତିକ ମାହୋଲ ବଦଳିଛି । ଏହା ଇସାରା କରୁଛି ଯେ 2019ର ଯୁଦ୍ଧରେ କଂଗ୍ରେସ ବିରୋଧୀ ଶକ୍ତିକୁ ଏକାଠି କରି ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏକୁ କଡ଼ା ଟକ୍କର ଦେଇପାରେ ।

Related Posts