ପଞ୍ଜାବ ପରେ କଂଗ୍ରେସ ଫୋକସରେ ଏବେ ରାଜସ୍ଥାନ : ବେଣୁଗୋପାଳଙ୍କ ଜୟପୁର ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଂଜାବ କଂଗ୍ରେସ କନ୍ଦଳର ସମାଧାନ ହେବାପରେ ଏବେ ରାଜସ୍ଥାନ କଂଗ୍ରେସରେ ହଲଚଲ୍ ଜୋର ଧରିଛି । ରାଜସ୍ଥାନ କଂଗ୍ରେସରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଦଳର ସଂଗଠନ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଶନିବାର ଜୟପୁରରେ ପହଞ୍ଚିଛନ୍ତି। 

 ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜସ୍ଥାନ ଦାୟିତ୍ୱରେ ଥିବା ଅଜୟ ମାକେନ୍ ମଧ୍ୟ ଜୟପୁରରେ ପହଞ୍ଚିପାରନ୍ତି। କ୍ୟାବିନେଟ୍‌ ସମ୍ପ୍ରସାରଣକୁ ‌ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ମଧ୍ୟରେ ଉଭୟ କଂଗ୍ରେସ ନେତା ରାଜସ୍ଥାନରେ ପହଞ୍ଚିଛନ୍ତି। ଚଳିତ ମାସରେ ଅଶୋକ ଗେହଲୋଟ୍ କ୍ୟାବିନେଟରେ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି ।  ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ଅଶୋକ ଗେହଲୋଟଙ୍କ ଦିଲ୍ଲୀ ଯିବାର କୌଣସି କାର୍ଯ୍ୟକ୍ରମ ନାହିଁ।  

 ସୂଚନା ମୁତାବକ ଅଜୟ ମାକେନ୍ ଏବଂ ଭେନୁଗୋପାଳଙ୍କ ସହ ଗେହଲୋଟ୍ ଙ୍କ ସାକ୍ଷାତ ପରେ ରାଜ୍ୟରେ କ୍ୟାବିନେଟ୍ ବିସ୍ତାର ନେଇ ରାସ୍ତା ସଫା ହୋଇପାରେ ।

 କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ପଞ୍ଜାବ ପ୍ରସଙ୍ଗର ସମାଧାନ ପରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପୂରା ଧ୍ୟାନ ରାଜସ୍ଥାନ ଉପରେ ରହିଛି ଏବଂ ଦଳର ହାଇକମାଣ୍ଡଙ୍କ ତରଫରୁ ମାକେନଙ୍କୁ କୁହାଯାଇଛି ଯେ ରାଜସ୍ଥାନର ରାଜନୈତିକ ସଙ୍କଟ ଜୁଲାଇରେ ସମାଧାନ ହୋଇଯିବା ଆବଶ୍ୟକ ।

ସୂଚନା ଅନୁସାରେ, ସଚିନ ପାଇଲଟଙ୍କ କ୍ୟାମ୍ପ କ୍ୟାବିନେଟ ସଂପ୍ରସାରଣରେ ବିଳମ୍ବ ହେଉଥିବାରୁ ହାଇକମାଣ୍ଡଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଂପ୍ରସାରଣ କରାଯିବା ନିଷ୍ପତ୍ତି ହୋଇଛି।

ଗତବର୍ଷ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଦୀର୍ଘ ୧୦ ମାସ ବିତି ଯାଇଥିଲେ ମଧ୍ୟ ସଚିନଙ୍କୁ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇ ନାହିଁ । ଏହାକୁ ନେଇ ସଚିନ ପାଇଲଟ ଓ ତାଙ୍କ କ୍ୟାମ୍ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ଏହାର ସମାଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। କିନ୍ତୁ ଗତବର୍ଷ ଅଗଷ୍ଟରୁ ଏହି କମିଟି କୌଣସି ବୈଠକ କରିନି। କମିଟିରେ ସଦସ୍ୟ ଥିବା ବରିଷ୍ଠ ନେତା ଅହମଦ ପଟେଲ ଗତବର୍ଷ ନଭେମ୍ବରରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ କମିଟି କାମ କରିବା ବନ୍ଦ କରି ଦେଇଛି। 

Related Posts