(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ କଂଗ୍ରେସରେ ସିଦ୍ଧୁ ବନାମ କ୍ୟାପଟେନ କଳିରେ ବିରାମ ଲାଗିବ । ଶୁକ୍ରବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆନୁଷ୍ଠାନିକ ଭାବେ ନବ ନିଯୁକ୍ତ ପଞ୍ଜାବ କଂଗ୍ରେସ ମୁଖିଆ ନବଜୋତ ସିଂହ ସିଦ୍ଧୁଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ। ଏ ସମ୍ପର୍କରେ ତାଙ୍କ ଗଣମାଧ୍ୟମ ପରାମର୍ଶଦାତା ସୂଚନା ଦେଇଛନ୍ତି।
ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ସିଂ ରାଜି ହେବା ସହ ଉଭୟଙ୍କ ମଧ୍ୟରେ ପୁନଃ ସମନ୍ୱୟର ସଙ୍କେତ ରହିଛି। ଏହାପୂର୍ବରୁ ଦଳର ରାଜ୍ୟ ୟୁନିଟରେ ଚାରିଜଣ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ମଧ୍ୟରୁ କୁଲଜିତ ସିଂ ନାଗ୍ରା ଏବଂ ସଙ୍ଗତ ସିଂ ଗିଲଜିଆନ୍ ଏହି କାର୍ଯ୍ୟକ୍ରମ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପ୍ରଦାନ କରିଥିଲେ।
ଦୀର୍ଘ ସମୟ ଧରି ଚାଲିଥିବା ବିବାଦ ମଧ୍ୟରେ ଉଭୟ ପରସ୍ପରକୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି। ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଥିଲେ ବେଳେ ଜୁଲାଇ ୧୮ରେ ସୋନିଆ ଗାନ୍ଧି ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ସିଦ୍ଧୁଙ୍କୁ ନିଯୁକ୍ତି ଦେଇଥିଲେ।
ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ରବୀନ ଥୁକରାଲ ଟ୍ୱିଟ କରି କହିଛନ୍ତି ଯେ “ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନଙ୍କ ପାଇଁ କାଲି ଦିନ ୧୦ଟାରେ ଗୋଟିଏ ଚା’ ପାର୍ଟିର ଆୟୋଜନ କରୁଛନ୍ତି। ପଞ୍ଜାବ ଭବନରେ ଏହା ଅନୁଷ୍ଠିତ ହେବ। ଏହାପରେ ସମସ୍ତେ ପଞ୍ଜାବ କଂଗ୍ରେସ ଭବନ ଯିବେ। ଏଠାରେ ନୂଆ ପିସିସି ଟିମ୍ କାର୍ଯ୍ୟଭାର ଗ୍ରହଣ କରିବେ।”
ଜୁଲାଇ ୧୮ରେ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତି ମିଳିଥିଲା। ଏହା ସହିତ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ସଙ୍ଗତ ସିଂହ ଗିଲାଜିଆନ୍, ସୁଖବିନ୍ଦର ସିଂହ ଡାନି, ପବନ ଗୋୟଲ ଏବଂ କୁଲଜିତ ସିଂହ ନାଗ୍ରା।
ସିଦ୍ଧୁ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବରେ ପଞ୍ଜାବ କଂଗ୍ରେସ ଭବନରେ ଚାରିଜଣ କାର୍ଯ୍ୟକାରୀ ସଭାପତିଙ୍କ ସହ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ଦାୟିତ୍ବରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି।