
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ରାଜନୀତିରେ ଏବେ ଘଡିକେ ଘାେଡା ଛୁଟୁଛି । କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ରାତିସାରା ନେତାଙ୍କ ସହ ଆଲୋଚନା ଚାଲିଛି । କୁହାଯାଉଛି ଅଶୋକ ଗେହଲୋଟଙ୍କ ଗୋଷ୍ଠୀର ୯୨ ଜଣ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ଦେଇଛନ୍ତି । ସେମାନଙ୍କର ଏକମାତ୍ର ଦାବି ରହିଛି ଯେ, ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାନଯାଉ । କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ଏହି ବିଧାୟକ ମାନଙ୍କ ସହ ରାତିସାରା ଆଲୋଚନା କରିଥିଲେ ମଧ୍ୟ ବିଧାୟକମାନେ ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ି ବସିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦିଲ୍ଲୀରେ ରାଜନେତାଙ୍କ ଚର୍ଚ୍ଚା ଚାଲିଥିବା ବେଳେ ରାଜସ୍ଥାନ ରାଜନୀତିରେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଏକ ପ୍ରକାର ଭୂକମ୍ପ ସୃଷ୍ଟି ହୋଇଛି। ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସରକାର ବିପଦରେ ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କ୍ୟାମ୍ପର ୯୨ ଜଣ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିବା ବେଳେ ଏହି ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିନାହାଁନ୍ତି । ଏନେଇ ବିଧାୟକ ପ୍ରତାପ ଖାଚାରିଆ କହିଛନ୍ତି ଯେ, ସମସ୍ତ ବିଧାୟକମାନେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏହା ଚାହୁଁନାହାଁନ୍ତି । ସେ ଆହୁରି କହିଛନ୍ତି ଯେ, କେବଳ ୧୦-୧୫ ଜଣ ବିଧାୟକ ଚାହୁଁଛନ୍ତି ପାଇଲଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ହେଲେ ଅଧିକାଂଶ ବିଧାୟକ ସିପି ଯୋଶୀଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି ।
ଗତକାଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଧାୟକମାନଙ୍କ ସହ ଆଲୋଚନା କରିବା ପାଇଁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଓ ଅଜୟ ମାକେନଙ୍କୁ ଜୟପୁର ପଠାଇ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ରାତିସାରା ବିଧାୟକଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଏବେଯାଏ କିଛି ନିଷ୍କର୍ସ ବାହାରିପାରିନାହିଁ ।
ଦଳର ବିଧାୟକ ମାନେ କହିଛନ୍ତି ଯେ, ଆମେ କଣ ଚାହୁଁଛୁ ତାହା ଦଳ ଶୁଣିବା ଆବଶ୍ୟକ । କିଏ ମୁଖ୍ୟମନ୍ତ୍ରୀ ହେବ ବିଧାୟକମାନେ ସ୍ଥିର କରିବେ । ଏସବୁକୁ ନେଇ ରାଜସ୍ଥାନ ରାଜନୀତିରେ ଆଜି କିଛି ବଡ଼ ନିଷ୍ପତ୍ତି ହୋଇପାରେ । ତେବେ ୨୦୨୦ରୁ ମୁଖ୍ୟମନ୍ତ୍ରୀ ହେବାକୁ ଅପେକ୍ଷା କରିଥିବା ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି ନା ନାହିଁ ତାକୁ ସେନେଇ ସବୁଆଡ଼େ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଦଳର ହାଇକମାଣ୍ଡ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଲୋଚନା ହେଉଛି ।