ରାଜସ୍ଥାନ କଂଗ୍ରେସର ୮୦ ପ୍ରତିଶତ ବିଧାୟକ ସଚିନ ପାଇଲଟ୍‌ଙ୍କ ସହ ଅଛନ୍ତି: ରାଜସ୍ଥାନ ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗେହଲଟ୍‌ଙ୍କ ଦ୍ଵାରା ସଚିନ ପାଇଲଟ୍‌ଙ୍କୁ ଗଦ୍ଦାର କହିବା ପରେ ଏବେ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି। ଏସବୁ ଭିତରେ ରାଜସ୍ଥାନର ଅଶୋକ ଗେହଲଟ୍ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ସିଂହ ଗୁଢା ଦାବି କରିଛନ୍ତି ଯେ, ପ୍ରଦେଶ କଂଗ୍ରେସର ୮୦ ପ୍ରତିଶତ ବିଧାୟକ ସଚିନ ପାଇଲଟ୍‌ଙ୍କ ସହ ଅଛନ୍ତି।

ସେ କହିଛନ୍ତି ଯେ, ସଚିନଙ୍କଠାରୁ ଭଲ ନେତା ଆଉ କେହି ନାହାନ୍ତିା ସମସ୍ତ କଂଗ୍ରେସ ବିଧାୟକଙ୍କ ମତାମତ ନିଆଯାଉ। ଯଦି ୮୦ ପ୍ରତିଶତ ବିଧାୟକ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ସପକ୍ଷରେ ସମର୍ଥନ ଦେବେ। ଯେଉଁ ୧୦୨ ବିଧାୟକଙ୍କୁ ଗେହଲଟ୍‌ କ୍ୟାମ୍ପର କୁହାଯାଉଛି ସେମାନଙ୍କ ମଧ୍ୟରୁ ତିନି ଜଣ ଏବେ ସଚିନ ପାଇଲଟ୍‌ଙ୍କ ସହ ଚାର୍ଟର ଫ୍ଲାଇଟ ରେ ଅଛନ୍ତି। ତେବେ କିପରି ୧୦୨ ବିଧାୟକ ଗେହଲଟଙ୍କ ସମର୍ଥନରେ ରହିଲେ ବୋଲି ସେ ପ୍ରଶ୍ନ କରିଛନ୍ତ । ମନ୍ତ୍ରୀ ରାଜେନ୍ଦ୍ର ଗୁଢା କହିଛନ୍ତି, ତାଙ୍କୁ ଜଣା ନାହିଁ କାହିଁକି ଅଶୋକ ଗେହଲଟ୍‌ ସଚିନ ପାଇଲଟ୍‌ଙ୍କୁ ଅଯୋଗ୍ୟ, ଅସାମର୍ଥ୍ୟ ଏବଂ ଗଦ୍ଦାର କହୁଛନ୍ତି। ସେ କହିଛନ୍ତି ଯେ, ମୁଁ ଦାବି କରୁଛି କଂଗ୍ରେସର ସମସ୍ତ ବିଦାୟକଙ୍କ ମତ ନିଆଯାଉ, ଦେଖିବେ ୮୦ ପ୍ରତିଶତ ବିଧାୟକ ପାଇଲଟ୍‌ଙ୍କ ସମର୍ଥନରେ ବାହାରିବେ ।

ଉଲ୍ଲେଖଯୋଗ୍ୟ ଯେ, ଗୁଢାଙ୍କୁ ପାଇଲଟ୍‌ ଗୋଷ୍ଠୀର ବୋଲି କୁହାଯାଏ। ସେ ବର୍ତ୍ତମାନ ଗେହଲଟ୍ ସରକାରରେ ସୈନିକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।

ତେବେ ଗତକାଲି ଗୁଜୁରାଟ ରେ ଗେହଲଟ୍‌ଙ୍କ ଗଦ୍ଦାର ବୟାନକୁ ନେଇ କଂଗ୍ରେସ ହାଇକମାଣ୍ଡ ମଧ୍ୟ ତତ୍ପର ହୋଇ ଉଠିଛନ୍ତି। କଂଗ୍ରେସ ସୂତ୍ର ଅନୁଯାୟୀ, ଗେହଲଟ୍‌ଙ୍କ ବୟାନରେ ଖପ୍ପା ପାଇଲଟ୍‌ ଗୋଷ୍ଠୀ ପାର୍ଟିରୁ ଅଲଗା ହୋଇ ପାରନ୍ତି। ଏଥିପାଇଁ ମାମଲାକୁ ଶାନ୍ତ କରିବା ଲାଗି ପାର୍ଟିର ବରିଷ୍ଠ ନେତା ଜୁଟି ଯାଇଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନରେ ୨୦୧୮ ବିଧାନସଭା ନିର୍ବାଚନ ପରଠୁ ଅଶୋକ ଗେହଲଟ୍‌ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଗେହଲଟ୍‌ଙ୍କ କହିବା କଥା ପାଇଲଟ୍‌ଙ୍କ ନିକଟରେ ଅଧିକ ବିଧାୟକଙ୍କ ସମର୍ଥନ ନାହିଁ। କିନ୍ତୁ ପାଇଲଟ୍‌ ସମର୍ଥକଙ୍କ କହିବା କଥା ଅଧିକାଂଶ ବିଧାୟକ ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନ ଚାହାନ୍ତି।

Related Posts