ଖୁବଶୀଘ୍ର ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: କେସି ଭେନୁଗୋପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୁବଶୀଘ୍ର ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ତଥା ଦଳର ମହାସଚିବ କେସି ଭେନୁଗୋପାଳ ଏହା କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । କୌଣସି ପ୍ରକାର ବିଶୃଙ୍ଖଳାକୁ ଦଳରେ ବରଦାସ୍ତ କରାଯିବ ନାହିଁ ବୋଲି ସେ କଡା ଭାଷାରେ କହିଛନ୍ତି । ତେଣୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଅଶୋକ ଗେହଲଟ ଖୁବଶୀଘ୍ର ଇସ୍ତଫା ଦେବେ ବୋଲି ଜଣା ପଡ଼ିଛି ।ଅନ୍ୟପଟେ ଆଉ କିଛି ସମୟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏଥିପାଇଁ ଗତକାଲି ରାତିରୁ ଗେହଲଟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ରାଜସ୍ଥାନ କଂଗ୍ରେସରେ ନେତୃତ୍ୱକୁ ନେଇ ସଙ୍କଟ ଦେଖାଦେବା ପରେ ପ୍ରଥମଥର ପାଇଁ ସୋନିଆଙ୍କୁ ଭେଟିବାକୁ ଯାଉଛନ୍ତି ଗେହଲଟ ।

ଅପରପକ୍ଷରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ, ଶଶୀ ଥରୁର ଆଜି ନାମାଙ୍କନ ପତ୍ର ଦାଖଲ କରି ପାରନ୍ତି ବୋଲି ଦଳୀୟ ସୂତ୍ରରୁ ସୂଚନା ରହିଛି । ରାଜସ୍ଥାନ ରାଜନୀତିରେ ଅସ୍ଥିରତା ସୃଷ୍ଟି ପୂର୍ବରୁ ଅଶୋକ ଗେହଲଟ ଦଳର ଅଧ୍ୟକ୍ଷ ହେବେ ବୋଲି କୁହାଯାଉଥିଲା । ଏବେ କିନ୍ତୁ ରାଜସ୍ଥାନ ରାଜନୀତିରେ ହଟଚମଟ ପରେ ଅଶୋକ ଗେହଲଟଙ୍କୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ସୂଚନା ରହିଛି । ତେଣୁ ଗେହଲଟ ଏବେ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନା ଆଉ କେହି ନୂଆ ଅଧ୍ୟକ୍ଷ ହେବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି ।

Related Posts