ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳ ଭିତରେ ବହୁ ଚର୍ଚ୍ଚା ଆଲୋଚନା ଚାଲିଛି। ଏପଟେ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଅଂଶଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଛି। ଅନେକ ଦିନର ବ୍ୟବଧାନ ପରେ କଂଗ୍ରେସକୁ ଜଣେ ଅଣ-ଗାନ୍ଧୀ ଅଧ୍ୟକ୍ଷ ମିଳିବାକୁ ଯାଉଛି। ଠିକ୍ ଏତିକି ବେଳେ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କୁ ଦଳର ଅଧ୍ୟକ୍ଷ କରିବାକୁ ଦାବି ଉଠିଛି। ଆସାମର କଂଗ୍ରେସ ସଂସଦ ଅବଦୁଲ ଖାଲେକ ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି କରିଛନ୍ତି। ଖାଲେକ ଯୁକ୍ତି କରିଛନ୍ତି ଯେ, ପ୍ରିୟଙ୍କା ଏବେ ଭାଦ୍ରା ପରିବାରର ବୋହୂ। ଭାରତୀୟ ପରମ୍ପରା ଅନୁଯାୟୀ ସେ ଆଉ ଗାନ୍ଧୀ ପରିବାରର ସଦସ୍ୟ ନୁହନ୍ତି । ତେଣୁ ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ମିଳିବା ଉଚିତ୍ ବୋଲି ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ଗାନ୍ଧୀ ପରିବାରର କୌଣସି ସଦସ୍ୟ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। କଂଗ୍ରେସର ଅନେକ ରାଜ୍ୟ ୟୁନିଟ ମଧ୍ୟ ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ଦାବି କରି ସଂକଳ୍ପ ପାରିତ କରିଥିଲେ। ହେଲେ ରାହୁଲ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇ ନ ଥିଲେ। ସେପଟେ ସମୟ ଯେତେ ଗଡୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍ ସେତେ ରୋଚକ ହେବାରେ ଲାଗିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପରେ, ଶଶି ଥରୁର ଏବଂ ଏବେ ଦିଗ୍ବିଜୟ ସିଂ ନାମ ଏହି ରେସ୍ରେ ସାମିଲ ହୋଇଛି। ସେପ୍ଟେମ୍ବର ୩୦ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି। ଏକରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର ୧୭ରେ ମତଦାନ ହେବ ଏବଂ ଅକ୍ଟୋବର ୧୯ରେ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।
