
ପଟିଆଲା: ଦେଶରେ ପୁଣି ଥରେ ମୁଣ୍ଡ ଟକିଲାଣି କରୋନା ମହାମାରୀ | କେରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାକୁ ଲାଗିଛି | କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସଂକ୍ରମଣ ଏବେ ଉପରମୁହାଁ ରହିଛି | ଦୈନିକ ସଂକ୍ରମଣ ୩ ହଜାର ପାର କରୁଛି |
ସେପଟେ, ପଞ୍ଜାବର ପଟିଆଲାରେ ଥିବା ରାଜୀବ ଗାନ୍ଧୀ ନେସ୍ନାଲ୍ ୟୁନିଭରସିଟି ଅଫ୍ ଲ କଲେଜରୁ ଏକାଥରରେ ୬୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ପୃଥକ ରଖାଯିବା ସହ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଏକାଥରକେ ଏତେ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟର କର୍ତ୍ତୃପକ୍ଷ ହଷ୍ଟେଲ୍ ଖାଲି କରିବାର ନିଷ୍କତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ରୋଗ ସୃଷ୍ଟିକାରୀ ସାର୍ସ-କୋଭ୍-୨ ଭୂତାଣୁ ହେଉଛି ବାୟୁବାହିତ। ଯଦି ଗୋଟିଏ ପ୍ରକୋଷ୍ଠରେ ଦୁଇ ବା ଅଧିକ କୋଭିଡ୍-୧୯ ରୋଗୀ ଥାନ୍ତି ତେବେ ବାୟୁରେ ଥିବା ଭୂତାଣୁଙ୍କ ପଜିଟିଭିଟି ହାର ୭୫ ପ୍ରତିଶତ ହୋଇଥାଏ। ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍ବି), ହାଇଦ୍ରାବାଦ ଏବଂ ସିଏସ୍ଆଇଆର୍-ଆଇଏମ୍ଟେକ୍, ଚଣ୍ଡୀଗଡ଼ ପକ୍ଷରୁ କରାଯାଇଥିବା ଅନୁଧ୍ୟାନର ରିପୋର୍ଟ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଏହି ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଆଇସିୟୁ ଭିତରେ ଥିବା ରୋଗୀ ଏବଂ ଅଣ-ଆଇସିୟୁ ରୁମ୍ରେ ଥିବା ରୋଗୀ ବାୟୁମଣ୍ଡଳକୁ ସମାନ ପରିମାଣର ଭୂତାଣୁ ଛାଡ଼ିଥାନ୍ତି। ଅର୍ଥାତ୍ ରୋଗ କେତେ ଗୁରୁତର ତା’ ଉପରେ ଭୂତାଣୁଙ୍କ ବିମୋଚିତ ସଂଖ୍ୟା ନିର୍ଭର କରି ନ ଥାଏ।