ଏଲୋପାଥିକ ଚିକିତ୍ସାକୁ ଅସମ୍ମାନ କରି ଦେଶର ଭାବନାକୁ କୁଠାର ଘାତ କରିଛନ୍ତି ରାମଦେବ , ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ବାବାଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାବା ରାମଦେବଙ୍କୁ ଭାରି ପଡିଲା ଏଲୋପ୍ୟାଥି ବିରୋଧୀ ମନ୍ତବ୍ୟ । ଏଲୋପ୍ୟାଥି ଡାକ୍ତରଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ ବାବାଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ। ଏଭଳି ମନ୍ତବ୍ୟ ଦେଶବାସୀଙ୍କ ଭାବନ ପ୍ରତି କୁଠାରଘାତ ବୋଲି ସେ କହିଛନ୍ତି। ନିକଟରେ ଯୋଗଗୁରୁ ବାବା ରାମଦେବଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓରେ ଏଲୋପାଥି ଚିକିତ୍ସା କୁ କଟୂଭାଷାରେ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କଡା ବିରୋଧ କରିଥିଲା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ବାବାଙ୍କ ଏହି ମନ୍ତବ୍ୟ ପାଇଁ କେନ୍ଦ୍ର ସରକାର ତୁରନ୍ତ ରାମଦେବଙ୍କୁ ଗିରଫ କରିବା ଦରକାର ବୋଲି ଆଇଏମଏ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରାଯାଇଥିଲା। ବିବାଦ ବଢୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ହର୍ଷ ବର୍ଦ୍ଧନ କହିଛନ୍ତି ବାବାଙ୍କ ଏପରି ମନ୍ତବ୍ୟ କରୋନା ବେଳେ ଦେବଦୂତ ସାଜିଥିବା ଏଲୋପ୍ୟାଥିକ ଡାକ୍ତର ମାନଙ୍କ ପାଇଁ ଅପମାନ । କରୋନା ଯୋଦ୍ଧାମାନଙ୍କୁ ଅସମ୍ମାନ କରି ବାବା ରାମଦେବ ଦେଶର ଭାବନାକୁ ଗଭୀର ଆଘାତ ଦେଇଛନ୍ତି । ଏପରି ଭାଷା କେବେ ଗ୍ରହଣୀୟ ନୁହେଁ। ଏହି ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିନେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଚିଠି ଲେଖିଛନ୍ତି। ତେବେ ଗତକାଲି ବାବା ରାମଦେବ ଦେଇଥିବା ସ୍ପଷ୍ଟୀକରଣ ପର୍ଯ୍ୟାପ୍ତ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

https://twitter.com/drharshvardhan/status/1396451287328202756?s=19

କରୋନା ମହାମାରୀ ଭଳି ସଙ୍କଟ ସମୟରେ ଏଲୋପାଥି ଚିକିତ୍ସା ଏବଂ ଡାକ୍ତରମାନେ କୋଟି କୋଟି ଲୋକଙ୍କୁ ନୂତନ ଜୀବନ ଦେଇଛନ୍ତି। ଏଲୋପାଥି ଔଷଧ ଖାଇବା କାରଣରୁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏଲୋପାଥି ଚିକିତ୍ସାକୁ ‘ତମାଶା’, ‘ବେକାର’ କହିବା ଦୁର୍ଭାଗ୍ୟଜନକ। ହର୍ଷବର୍ଦ୍ଧନ ଆହୁରି ମଧ୍ୟ କହିଛନ୍ତି ଯେ, ” ଆଜି ଲକ୍ଷ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ମୃତ୍ୟୁ ହାର 1.13 ପ୍ରତିଶତ ଏବଂ ପୁନରୁଦ୍ଧାର ହାର 88 ପ୍ରତିଶତରୁ ଅଧିକ । ଏହା ପଛରେ କେବଳ ଏଲୋପାଥିକ ଏବଂ ଡାକ୍ତରମାନଙ୍କର ମହତ୍ବପୂର୍ଣ୍ଣ ଅବଦାନ ରହିଛି। ” ହରିଦ୍ୱାରର ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଶନିବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ମହାମାରୀର ଭଳି କଠିନ ପରିସ୍ଥିତିରେ ଦିନରାତି କାମ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ବାବା ରାମଦେବ ଅତ୍ୟଧିକ ସମ୍ମାନ କରନ୍ତି। ଆଧୁନିକ ବିଜ୍ଞାନ ଏବଂ ଆଧୁନିକ ଚିକିତ୍ସା ଚିକିତ୍ସା ବିରୁଦ୍ଧରେ ମନ୍ତବ୍ୟ ଦେବା ବାବଙ୍କ ଉଦ୍ଦେଶ୍ୟ ନୁହେଁ। ତାଙ୍କ ବିରୁଦ୍ଧରେ ଯାହା ଅଭିଯୋଗ କରାଯାଉଛି ତାହା ଭୁଲ ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି।

Related Posts