ଖୋଲା ଚ୍ୟାଲେଞ୍ଜ ଦେଲେ ରାମଦେବ : କହିଲେ- “ସେମାନଙ୍କ ବାପା ବି ସ୍ବାମୀ ରାମଦେବଙ୍କୁ ଗିରଫ କରିପାରିବେନି”

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ବିବାଦ ରାମଦେବଙ୍କ ପିଛା ଛାଡୁନି। ଏବେ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ। ତାଙ୍କର ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ଅଧିକାରୀ ମାନଙ୍କୁ ଖୋଲା ଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଯେ ସେମାନଙ୍କ ବାପା ବି ସ୍ବାମୀ ରାମଦେବଙ୍କୁ ଗିରଫ କରି ପାରିବେ ନାହିଁ। ଭାଇରାଲ ଭିଡିଓରେ ସେ କହୁଛନ୍ତି ଯେ “ଛାଡ଼ନ୍ତୁ, ଗିରଫଦାରୀ ତାଙ୍କ ବାପା ବି ମୋତେ କରିପାରିବ ନାହିଁ। ସ୍ୱାମୀ ରାମଦେବକୁ କେହି ବି ଗିରଫ କରିପାରିବେ ନାହିଁ। ସେମାନେ କେବଳ ଠଗ୍ ରାମଦେବ, ମହାଠଗ୍ ରାମଦେବ ଓ କୁଇକ୍ ଆରେଷ୍ଟ୍ ରାମଦେବ କହିପାରିବେ। ସୋସିଆଲ ମିଡିଆରେ ଟ୍ରେଣ୍ଡ କରିପାରିବେ। ସେମାନଙ୍କୁ ଏମିତି କରିବାକୁ ଦିଆଯାଉ। ଆମ ଲୋକମାନେ ଏଭଳି ଟ୍ରେଣ୍ଡ ସହ ପରିଚିତ ହୋଇଗଲେଣି । ଆମର ଟ୍ରେଣ୍ଡ ସବୁବେଳେ ଉପରେ ରହିଥାଏ।” କୋଭିଡ୍‌ ଚିକିତ୍ସା ନିମନ୍ତେ ଏଲୋପାଥି ଚିକିତ୍ସା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ହେତୁ ରାମଦେବଙ୍କୁ ଗିରଫ କରିବା ଲାଗି ଟ୍ବିଟରରେ #Arrest Ramdev ଟ୍ରେଣ୍ଡ କରୁଛି। ସୂଚନାଯୋଗ୍ୟ ଯେ, ରାମଦେବ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ବୋଲି କହିଥିଲେ। ଏବଂ ଏଲୋପାଥି ଚିକିତ୍ସା ଯୋଗୁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ।

ଏହାପରେ ତାଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବି ଉଠିଥିଲା। ଏମିତିକି ଆଇଏମଏ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଦାୟର କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। କାରଣ ସେ ଲୋକଙ୍କୁ ଭ୍ରାମକ ଏବଂ ମିଥ୍ୟା ମନ୍ତବ୍ୟ ସହ କରୋନା ଟିକାକୁ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। ଏହା ବ୍ୟତୀତ ଆଗାମୀ ‘ମନ୍‌କି ବାତ୍‌’ ଅଧ୍ୟାୟରେ ଟିକାକରଣ ପ୍ରସଙ୍ଗରେ ପରାମର୍ଶ ଦେବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଜରିଆରେ ନିବେଦନ କରିଛି। ଏହା ପୂର୍ବରୁ ଆଇଏମଏ ଡେରାଡୁନ ପକ୍ଷରୁ ରାମଦେବଙ୍କୁ ୧୫ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା ଦାବି କରାଯିବା ସହ ଏକ ହଜାର କୋଟିର ମାନହାନୀ ନୋଟିସ ମଧ୍ୟ ପଠାଯାଇଛି।

Related Posts