କରୋନାକୁ ନେଇ ପ୍ରଖ୍ୟାତ ଗୁଜରାଟୀ କବୟିତ୍ରୀ ପାରୁଲ ଖାଖରଙ୍କ ‘ଶବବାହିନୀ ଗଙ୍ଗା’ କବିତା ସାରା ଦେଶରେ ଭାଇରାଲ

କବୟିତ୍ରୀ ପାରୁଲ ଖାଖର ତାଙ୍କ ଗୁଜରାଟୀ କବିତା ‘ଶବବାହିନୀ ଗଙ୍ଗା’କୁ ଫେସବୁକରେ ମଇ 11, 2021ରେ ପୋଷ୍ଟ କଲା ପରେ ହଠାତ୍ ତାହା ଲକ୍ଷ ଲକ୍ଷ ପାଠକଙ୍କ ଦୃଷ୍ଟି ଆକର୍ଷଣ କରି ଚହଳ ପକାଇ ଦେଇଥିଲା । ଇତିମଧ୍ୟରେ କବିତାଟି ହିନ୍ଦୀ, ଇଂରାଜୀ, ମରାଠୀ, ପଞ୍ଜାବୀ, ବଙ୍ଗଳା, ଅସମୀୟା, କନ୍ନଡ ଆଦି ବିଭିନ୍ନ ଭାଷାରେ ଅନୁଦିତ ହୋଇ ଅନେକଙ୍କୁ ଆନ୍ଦୋଳିତ କରି ସାରିଛି । ତା’ର ଓଡିଆ ଅନୁବାଦ କରିବାର ଏକ ପ୍ରୟାସ –

ଶବବାହିନୀ ଗଙ୍ଗା

ମୂଳ ଗୁଜରାଟୀ : ପାରୁଲ ଖାଖର 

ଅନୁବାଦ : ସରଳ କୁମାର ଦାସ 

ସମସ୍ୱରରେ ସବୁ ମୁର୍ଦ୍ଦାର କହିଲେ, ‘ସବୁ କିଛି ବଢିଆ-ଚଙ୍ଗା’

ରାଜନ୍, ତମ ରାମରାଜ୍ୟରେ ଶବବାହିନୀ ଗଙ୍ଗା ।

ସରିଲାଣି ସବୁ ମଶାଣି ତମର, ସରିଲାଣି ସବୁ କାଠ

ଥକିଲାଣି ଆମ କାନ୍ଧ ସବୁ, ଆଖି ହେଲାଣି ଶୂନ୍ୟ

ଘରେ ଘରେ ଯମଦୂତ କରନ୍ତି ମୃତ୍ୟୁର ନାଚ ବେଢଙ୍ଗା

ରାଜନ୍, ତମ ରାମରାଜ୍ୟରେ ଶବବାହିନୀ ଗଙ୍ଗା ।

ରାଜନ୍, ଜଳୁଛି ଚିତା ଲଗାତାର ବିଶ୍ରାମ ମାଗେ କ୍ଷଣିକ ଲାଗି

ରାଜନ୍, ଭାଙ୍ଗୁଛି ଚୂଡି ଲଗାତାର ଘରେ ଘରେ ବାଡିଆ ଛାତି

ଦେଖ ବେହେଲା ବଜାଏ ଶିଖା ‘ବାହା ରେ ବିଲ୍ଲା- ରଙ୍ଗା’ !

ରାଜନ୍, ତମ ରାମରାଜ୍ୟରେ ଶବବାହିନୀ ଗଙ୍ଗା ।

ରାଜନ୍, ତମର ଦିବ୍ୟ ବସ୍ତ୍ର ସାଙ୍ଗକୁ ଦିବ୍ୟ ତମର ଜ୍ୟୋତି

ରାଜନ୍, ତମର ଅସଲ ରୂପଟା କୁହ ପଥର, ନା ମୋତି

ସାହସ ଥିଲେ ଖୋଲିକି କୁହ, ‘ଉଲଗ୍ନ ମୋ’ ରାଜା’

ରାଜନ୍, ତମ ରାମରାଜ୍ୟରେ ଶବବାହିନୀ ଗଙ୍ଗା ।

ଶବ ସବୁ କୁହନ୍ତି

ଏକ ସ୍ୱରେ,

ହେ ରାଜା, ସବୁତ ଦିଶୁଛି

‘ଚଙ୍ଗା ଚଙ୍ଗା’

ତୁମ ରାମ ରାଜ୍ୟରେ

ଶବ ବୋହି ଚାଲିଛି ଗଙ୍ଗା ।

ହେ ରାଜା,

ଯେତେକ ଅଛି ତୁମର ଶ୍ମଶାନ,

ସେଠି ନାହିଁ ଆଉ ସ୍ଥାନ,

କାଠ ସରିଲାଣି,

କାନ୍ଧ କ୍ଲାନ୍ତ ହେଲେଣି,

ଲୁହ ଭିଜା ଆଖି ଥକି ବି ଗଲେଣି,

ଘରେ ଘରେ ଯମଦୂତ ଚେଙ୍ଗା

ହେ ରାଜା , ତୁମ ରାମ ରାଜ୍ୟରେ,

ଶବ ବୋହି ଚାଲିଛି ଗଙ୍ଗା ।

ଅବିଶ୍ରାନ୍ତ ଜଳେ ଚିତା

ଟିକିଏବା ବିରତି ମିଳନ୍ତା!

କେତେ ଯେ ହାତର ଚୁଡ଼ି,

ନିତି ହୁଏ ଭଙ୍ଗା, 

ବୁକୁ ଫଟା କୋହ..

ଶୁଭେ ସେଠି ଖାଲି

 ଭକ୍ତଙ୍କ ବୀଣା ବାଦନ

ବାହା ବାହା ‘ “ବିଲ୍ଲା ରଙ୍ଗା’…

ହେ ରାଜା,  ତୁମ ରାମ ରାଜ୍ୟରେ

ଶବ ବୋହି ଚାଲିଛି ଗଙ୍ଗା।

ତୁମ ଅଙ୍ଗ ଵସ୍ତ୍ର ଦିବ୍ୟ 

ଦିବ୍ୟ ତୁମ ଜ୍ୟୋତି,

ଲୋକେ ବା ବୁଝିବେ କାଁହୁ

କେଉଁଟି ପଥର, କେଉଁଟି ମୋତି!

 କିଏ ସେ ସାହସୀ, କହିକି ପାରିବ!

କିଏ ସେ ସାହସୀ କହିକି ପାରିବ,

ନଙ୍ଗଳା ବୁଲୁଛ ତୁମେ , ‘ହେ ରାଜା !

ତୁମ ରାମ ରାଜ୍ୟରେ 

ଶବ ବୋହି ଚାଲିଛି ଗଙ୍ଗା।

Parul Khakkar’s Gujarati Poem has been translated into English and Hindi. Odia Presentation: The Samadrusti

Related Posts