
ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି । ତେବେ କଥାଟି ବିଶ୍ୱାସ ନ ହେଉଥିଲେ ବି ସତ । କଟକ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏଭଳି ବିରଳ ଅପରେସନ କରାଯାଇଛି । ଭଦ୍ରକ ଜିଲ୍ଲାର ସୀତାକାନ୍ତ ବାରିକ ସୂତାକଳରେ କାମ କରିବା ସମୟରେ ଏକ ମେସିନରେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଅଧା କଟିଯାଇଥିଲା । ଆଙ୍ଗୁଠି କଟିଯିବା ଫଳରେ ସେ ଦୈନିକ କୌଣସି କାମ ସୁରୁଖରୁରେ କରିପାରୁନଥଲେ । ସେଥିପାଇଁ ୩ ମାସ ତଳେ ଏସସିବି ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତେବେ ଗୋଡ଼ର ଆଙ୍ଗୁଠି ଆଣି ହାତରେ ଲଗାଯାଇପାରିବ ବୋଲି ଡାକ୍ତର କହିଥିଲେ ।
ଏନେଇ ସୀତାରାମ ଓ ତାଙ୍କ ପରିବାର ଲୋକେ ଆଗ୍ରହ ପ୍ରକାଶ କରିବା ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୮ ଜଣିଆ ଡାକ୍ତରୀ ଟିମ୍ ଏହି ବିରଳ ଅସ୍ତ୍ରୋପ୍ରଚାର କରିଥିଲେ । ଏଭଳି ଅପରେସନ ରାଜ୍ୟରେ ପ୍ରଥମ ବୋଲି କଟକ ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ କୁହାଯାଇଛି ।