ରଥଯାତ୍ରା ପ୍ରସ୍ତୁତି: ୨୬ଟି ଚକର ନିର୍ମାଣ କାର୍ଯ୍ୟ ଶେଷ

ପୁରୀ: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର । ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନୁଷ୍ଠିତ ହେବ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା ।

ତିନିରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ୨୬ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଥିବାବେଳେ ୨୧ ଟି ଅଖ କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସେବକମାନେ ମେସିନ୍ ସାହାଯ୍ୟରେ ଅଖକାଠକୁ ଟେକି ନେଇ ଯଥା ସ୍ଥାନରେ ରଖିଛନ୍ତି । ଅନ୍ୟପଟେ ଭୂଇଁକାମ ଆରମ୍ଭ ହୋଇଛି । ପ୍ରଥମ ଭୂଇଁ ପାଇଁ ୪ଟି ଭୂଇଁ ଚଉତା ଶେଷହୋଇ ଥିବାବେଳେ ଦୁଇଟି ଲେଖାଏଁ ଦ୍ଵିତୀୟ ଭୂଇଁ ଚଉତା ଶେଷ ହୋଇଛି । ସେପଟେ ତିନି ରଥର ଦୁଇଟି ଲେଖାଏଁ ମୁହାଣ୍ଟ ଚଉପଟ ଶେଷ ହୋଇଛି । ରୂପକାର ସେବକମାନେ ପ୍ରଥମ ପର୍ଯ୍ୟାୟରେ ତିନି ରଥର ୬ଟି ଲେଖାଏଁ ସାଲଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରିରହିଛି । ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବଳା, ଘନି ମୁହଁ, ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ସେପଟେ କଟକ ସ’ ମିଲ୍‌ରୁ ପଟାଗୁଜ ଓ ଅନ୍ୟାନ୍ୟ କାମ ପାଇଁ ରଥକାଠ ଚିରଟ ପରେ ଆସି ରଥଖଳାରେ ପହଞ୍ଚିଛି । ଆସନ୍ତା ଶୀତଳଷଷ୍ଠୀ ସୁଦ୍ଧା ତିନିରଥର ସମସ୍ତ ୪୨ ଟି ଚକ ସହ ୨୧ ଟି ଅଖ ନିର୍ମାଣ କାର୍ଯ୍ୟ ଶେଷହେବା ପରେ ଏହାର ସଂଯୋଗ କରାଯାଇ ଡ଼େରାଯିବାର ବିଧି ରହିଛି ।

Related Posts