ଭୁବନେଶ୍ୱର(ସତ୍ୟପାଠବ୍ୟୁରୋ) : ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ରଥଯାତ୍ରା ପାଇଁ ଶୁକ୍ରବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୬ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ସମୀକ୍ଷା ବୈଠକ କରିବା ପରେ ଆଜି ଆଉ ଥରେ ଲୋକସେବା ଭବନରେ ବିସ୍ତୃତ ସମୀକ୍ଷା କରିଛନ୍ତି । ବୈଠକରେ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ, ଦକ୍ଷ ଓ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ରଥଯାତ୍ରା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବ। ସମନ୍ୱୟ ବା କୋ-ଅର୍ଡିନେସନ ଉପରେ ପୁନର୍ବାର ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ତଥା ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବା ପାଇଁ ନିରନ୍ତର ସୂଚନା ପ୍ରଦାନର ବ୍ୟବସ୍ଥା ରହିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଯେପରି କମ୍ୟୁନିକେସନ ଗ୍ୟାପ ନ ରୁହେ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ସବୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।