ଆସନ୍ତା ୧୪ରେ ଖୋଲିବ ରତ୍ନଭଣ୍ଡାର !

ଭୁବନେଶ୍ୱର,୦୯/୭(ସତ୍ୟପାଠ ବ୍ୟୁରୋ): ଆସନ୍ତା ୧୪ ଖୋଲିବ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ଆଜି ବସିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଯାଞ୍ଚ କମିଟି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ମାଗିଛି। ସରକାରଙ୍କ ଠାରୁ ଅନୁମତି ପାଇଲେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ।

ଚାବି ଥାଉ କି ନ ଥାଉ ରତ୍ନଭଣ୍ଡାର ଖୋଲିବ ନେଇ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକରେ ନିଷ୍ପତି ହୋଇଛି।ରତ୍ନଭଣ୍ଡାର ଖୋଲିବ ପରେ ଏହାର ରକ୍ଷଣାବେକ୍ଷଣ ଓ ଗଣତି ନେଇ ପଦକ୍ଷେପ ନିଆଯିବ। ଏ ନେଇ ପରିଚାଳନା କମିଟି ନିଷ୍ପତି ନେବେ। ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଇଛି ।ଯେଉଁଠି କି ପ୍ରଥମେ ରତ୍ନ ସେଠାକୁ ସ୍ଥାନାନ୍ତରିତ କରାଯିବ।ପରେ ସୂର୍ଣ୍ଣକାରୀଙ୍କ ଦ୍ଵାରା ରତ୍ନର ମୂଲ୍ୟାୟନ କରାଯିବ। ଏଥି ସହିତ ରତ୍ନଭଣ୍ଡାର ଖୋଲିବା ସମୟରେ ଏସଓପି କଣ ରହିବ ତାହା ଉପରେ ମଧ୍ୟ ଆଲୋଚନା ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଜିର ବୈଠକ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ।ରତ୍ନଭଣ୍ଡାର ଖୋଲାଯିବା ସମୟରେ ଯେପରି ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଏହାଛଡ଼ା ରତ୍ନଭଣ୍ଡାରର ତଥ୍ୟକୁ ଡିଜିଟାଲ୍ ଡକ୍ୟୁମେଣ୍ଟେସନ କରାଯାଇ ସଂରକ୍ଷିତ ରଖାଯିବ ବୋଲି ବି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

Related Posts