ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ; ସନ୍ଧ୍ୟାରେ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର,୦୯/୭(ସତ୍ୟପାଠ ବ୍ୟୁରୋ): ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ହେଉଛନ୍ତି ଭକ୍ତ । ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ।

ସେପଟେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଗର୍ଭଗୃହରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି । ଏପଟେ ଆଜିଠୁ ଶ୍ରୀମନ୍ଦିର ଗର୍ଭଗୃହର ଆବଶ୍ୟକୀୟ ମରାମତି ପାଇଁ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଯାଞ୍ଚ କରିବେ ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଥଯାତ୍ରା ସମୟରେ ଏହି ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ମରାମତି କାର୍ଯ୍ୟ କରାଯିବ। ଅଧରପଣା ନୀତି ପୂର୍ବରୁ ଏହି ପ୍ରକ୍ରିୟାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ବୈଷୟିକ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ତ୍ତ ବିଭାଗ ଇଞ୍ଜିନିୟର ମୁଖ୍ୟ ଡକ୍ଟର ଏନ୍.ସି. ପାଲ୍ ।

Related Posts