(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ବର୍ଷ ତବଲିଗି ମାର୍କାଜରୁ କରୋନା ବ୍ୟାପିଥିବା ନେଇ ସୋସିଆଲ ମିଡିଆରେ ଚାଲିଥିବା ଟ୍ରେଣ୍ଡ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସପ୍ତାହେ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଧାର୍ମିକ କାରଣ ପାଇଁ ବ୍ୟବହାର ହେଉଥିବା ହ୍ୟାସଟ୍ୟାଗ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କହିଛନ୍ତି ଯେ ସେ ପ୍ରଥମେ ନୂତନ ଆଇଟି ନିୟମ ପଢନ୍ତୁ ଏବଂ ଏଥିରେ ଏପରି ପ୍ରାବଧାନ ଅଛି କି ନାହିଁ ତାହା ଜଣାନ୍ତୁ।
ହାଇଦ୍ରାବାଦର ବାସିନ୍ଦା ଖାଜା ଏଜାଜୁଦ୍ଦିନଙ୍କ ଦ୍ବାରା ଦାୟର ହୋଇଥିବା ଏହି ୟାଚିକାରେ କୁହାଯାଇଛି ଯେ ଗତ ବର୍ଷ ନିଜାମୁଦ୍ଦିନ ମାର୍କାଜରେ ତବଲିଗୀ ଜମାତ ଲୋକଙ୍କ ଉପସ୍ଥିତିକୁ ନେଇ ମିଥ୍ୟା ପ୍ରଚାର ପାଇଁ ଟ୍ୱିଟ କରାଯାଇଥିଲା। ଏହି ଟ୍ବିଟ୍ ଗୁଡିକରେ ମୁସଲମାନମାନେ ଏକ ଷଡଯନ୍ତ୍ର କରି କରୋନା ବିସ୍ତାର କରୁଥିବା ଦର୍ଶାଯାଇଥିଲା। ଏବଂ ମୁସଲମାନ ମାନଙ୍କୁ ବଦନାମ୍ କରିଵା ଉଦ୍ଦେଶ୍ୟରେ ହ୍ୟାସଟ୍ୟାଗ ବ୍ୟବହାର ହେଉଥିଲା। କିନ୍ତୁ ଟ୍ୱିଟର କିମ୍ବା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ତେଣୁ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ ଆଇଟି ନିୟମ 2000 ରେ ଏକ ନିୟମ ଯୋଡିବେ ଯାହା ଦ୍ବାରା ଇସଲାମୋଫୋବିକ କିମ୍ବା ଧାର୍ମିକ କାରଣରୁ ମିଥ୍ୟା ପ୍ରଚାର କରୁଥିବା ପୋଷ୍ଟଗୁଡିକ ହଟାଯାଇପାରିବ।
ତେବେ ପ୍ରଧାନ ବିଚାରପତି ଏନ.ଭି ରାମନା ଏବଂ ଜଷ୍ଟିସ ଏସ୍ ବୋପାନ୍ନାଙ୍କ ବେଞ୍ଚ ଏ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଛନ୍ତି ଯେ , “ଲୋକମାନେ ଏହି ପ୍ରସଙ୍ଗକୁ ଭୁଲି ଯାଇଛନ୍ତି। ଆପଣ କାହିଁକି ପୁଣି ଥରେ ପୁନର୍ବାର ଏହି ପ୍ରସଙ୍ଗକୁ ଆଲୋଚନା କରିବା ପାଇଁ ଚାହୁଁଛନ୍ତି ?” କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ 2021 ରେ ପ୍ରସ୍ତୁତ ହୋଇଥିବା ନୂତନ ଆଇଟି ନିୟମକୁ ଆବେଦନକାରୀ ପଢିଛନ୍ତି କି ନାହିଁ ? ନ୍ୟାୟାଳୟ କହିଛନ୍ତି ଯେ ଏଭଳି ମାମଲା ସମ୍ପର୍କରେ ନୂତନ ଆଇଟି ନିୟମରେ ବ୍ୟବସ୍ଥା କରାଯାଇଛି। ତେବେ ଓକିଲ ଏଜାଜୁଦ୍ଦିନ ଏହାର ଉତ୍ତରରେ କହିଛନ୍ତି ଯେ, ନୂତନ ଆଇଟି ନିୟମ ଧାର୍ମିକ କାରଣରୁ ଅନୈତିକ ପ୍ରସାର ବିଷୟରେ ପୃଥକ ଭାବରେ କିଛି କହି ନାହିଁ।
ନୂତନ ଆଇଟି ନିୟମ ଜାଣିବାକୁ କୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି ଆବେଦନକାରୀ କୋର୍ଟଙ୍କୁ ନିଶ୍ଚିତ କରିପାରିବେ ଯେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ମିଥ୍ୟା ଏବଂ ଘୃଣ୍ୟ କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ନିୟମ ନାହିଁ ତେବେ ଏହି ମାମଲାରେ ଅଧିକ ବିଚାର କରାଯିବ।
