ବିଧାନସଭାରୁ ହଟିଲା କୋଭିଡ କଟକଣା; ସ୍ଵାଭାବିକ ଭାବେ ଚାଲିବ ଗୃହ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଯିବାକୁ ମିଳିବ ଅନୁମତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୀତ ଅଧିବେଶନ ସୁପରିଚାଳନା ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଏଥିପାଇଁ ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି।

କଟକଣା ହଟିବା ପରେ ଏବେ ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀକୁ ଯିବାପାଇଁ ସାମ୍ବାଦିକଙ୍କୁ ମଧ୍ୟ ଅନୁମତି ମିଳିବ। ସେପଟେ ଲିଖିତ ଭାବେ ଜଣାଇ ସଭ୍ୟ ମାନେ ଭିଡିଓ କନଫରେନ୍ସି ମାଧ୍ୟମରେ ବିଧାନସଭାରେ ଯୋଗ ଦେଇପାରିବେ। ୨ଟି ସେସନରେ ବିଧାନସଭା ଚାଲିବ। ସକାଳ ସାଢେ ୧୦ରୁ ୧ଟା ୩୦ ଏବଂ ଅପରାହ୍ନ ଅଧିବେଶନରେ ୪ଟା ରୁ ୭ ପର୍ଯ୍ଯନ୍ତ ବିଧାନସଭା ଚାଲିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଦେଇଛନ୍ତି।

ଆଜିର ଏହି ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଷୋଡଶ ବିଧାନସଭାର ୧୧ ତମ ଅଧିବେଶନ ଆସନ୍ତା ୨୪ରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ଯନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ଯଦିବସ ରହିଥିବା ବେଳେ ନଭେମ୍ବର ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଆଗତ କରିବେ ୨୦୨୨-୨୩ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍। ଏହାପରେ ନଭେମ୍ବର ୩୦ ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ। ଏଥି ସହିତ ଡିସେମ୍ବର ୨ ତାରିଖରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ।

Related Posts