ରାଜ୍ୟରେ ବାହ୍ୟଶକ୍ତିଙ୍କୁ ସୁଯୋଗ ଦେଉଥିବା ‘ଗୃହ ବିଭିଷଣ’ କିଏ ?, ତାଙ୍କୁ ଚିହ୍ନଟ କରାଯାଉ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପ ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଏଥିପାଇଁ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି। ତେବେ ପଦ୍ମପୁର କୁ ଜିଲ୍ଲା ଘୋଷଣା ଦାବି ସେଠାରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ନୂତନ ଜିଲ୍ଲା ଭାବେ ଡିସେମ୍ବର ୩୧ ସୁଦ୍ଧା ଘୋଷଣା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣାକୁ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ଏପରି କରି ରାଜ୍ୟକୁ କଣ ଭାଗ କରିବାକୁ ଯୋଜନା ଚାଲିଛି କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଦୀପ । ରବିବାର ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ଗୋପାଳପୁର ବିଧାୟକ ଏପରି ପ୍ରଶ୍ନ କରିଛନ୍ତି ।

ପ୍ରଦୀପ କହିଛନ୍ତି ଯେ, ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ବରଗଡରେ ମୋଟ ୫ଟି ନିର୍ବାଚନ ମଣ୍ଡଳୀ ସେଥିପାଇଁ ୨ଟି ଜିଲ୍ଲା ହେବ, ଆମ ଗଞ୍ଜାମ ଜିଲ୍ଲାରେ ତ ୧୩ଟି ନିର୍ବାଚନ ମଣ୍ଡଳୀ, ଏଠାରେ ମୁଖ୍ୟମନ୍ତ୍ରୀ କେତୋଟି ଜିଲ୍ଲା ଘୋଷଣା ହେବ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି । ଏପରି ଯଦି ହେବ ତାହା ହେଲେ ଅନ୍ୟ ଜିଲ୍ଲାର ଅବସ୍ଥା କଣ ହେବ ଏବଂ ଏପରି କରି ରାଜ୍ୟକୁ କଣ ଭାଗ କରିବାକୁ ଯୋଜନା ଚାଲିଛି କି ବୋଲି ପ୍ରଶ୍ନ କରିଥିଲେ ପ୍ରଦୀପ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କିଏ ଏଭଳି ପରାମର୍ଶ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ବାହ୍ୟ ଶକ୍ତି ବୟାନକୁ ନେଇ ପ୍ରଦୀପ ମଧ୍ୟ ନିଜ ମତ ରଖିଛନ୍ତି। ସେ ସମାଲୋଚନା କରି ମହମ୍ମଦ ଘୋରୀଙ୍କ ଉଦାହରଣ ଦେଇଛନ୍ତି । ପ୍ରଦୀପ କହିଛନ୍ତି ଯେ, ମହମ୍ମଦ ଘୋରୀ ଭାରତ ବର୍ଷରେ ପୃଥିରାଜ ଚୈହ୍ବାନଙ୍କ ସହ ଯେତେ ଥର ଯୁଦ୍ଧ କରିଛନ୍ତି ସେ ହାରିଛନ୍ତି । କିନ୍ତୁ ଯେତେବେଳେ ଜୟଦ ରଥ ପରି ଗୃହ ବିଭିଷଣ ସୃଷ୍ଟି ହେଲେ ସେତେବେଳେ ମହମ୍ମଦ ଘୋରୀ ବିଜୟୀ ହୋଇ ଦେଶକୁ ଶ୍ମଶାନ ଘାଟ କରିଦେଇଥିଲେ । ଏଣୁ ଦଳରେ ଜୟଦ ରଥ କିଏ, ଯିଏକି ମହମ୍ମଦ ଘୋରୀଙ୍କୁ ସୁଯୋଗ ଦେଉଛନ୍ତି, ତାହା ଚିହ୍ନଟ କରନ୍ତୁ ବୋଲି କହିଛନ୍ତି ପ୍ରଦୀପ । ସେ ଆହୁରି କହିଛନ୍ତି ଯେ, ବାହ୍ୟଶକ୍ତି କେବେବି କ୍ଷମତାଶାଳୀ ହୋଇପାରିବ ନାହିଁ, ଯଦି କେହି ଭିତରର ଶକ୍ତି ତାଙ୍କୁ ସାହାଯ୍ୟ ନ କରିବ। ଏହି ଘଟଣାରେ ରାଜ୍ୟର ନିର୍ବାଚିତ ପ୍ରତିନିଧି ମାନେ ଚୁପ୍ କାହିଁକି ବସିଛନ୍ତି ବୋଲି ପ୍ରଦୀପ ପ୍ରଶ୍ନ କରିବା ସହିତ ସମସ୍ତଙ୍କୁ ସ୍ୱର ଉଠାଇବା ପାଇଁ ଆହ୍ବାନ ଦେଇଛନ୍ତି। ସମସ୍ତେ ସ୍ୱର ଉଠାଇଲେ ବାହ୍ୟ ଶକ୍ତି ସଜାଗ ହେବ ଓ ରଜ୍ୟଠାରୁ ଦୂରେଇ ରହିବ ଫଳରେ ରାଜ୍ୟର ଉନ୍ନତି ହେବ ବୋଲି ପ୍ରଦୀପ କହିଛନ୍ତି।

Related Posts